Unknown

 

 

 

 

 

 

 

 

 

 

 

ମାଟିର ଚାଷୀ ଜାତିର ପଦ୍ମଶ୍ରୀ

ଶ୍ରୀ ଜଗନ୍ନାଥ ମହାନ୍ତି

 

ସୂଚୀପତ୍ର

 

୧.

ମାଟିର ଚାଷୀ, ଜାତିର ପଦ୍ମଶ୍ରୀ

୨.

ମୂଲିଆ ପରି ଲାଗ, ମାଲିକ ପରି ଭୋଗ

୩.

ବୟସ ଯେଉଁଠି ହାର ମାନିଛି

୪.

ହାତ ଚଳିଲେ ଭାତ

୫.

ଭଲ ଚାଷକରି ଆଦର୍ଶ ସବୁରି

Image

 

ମାଟିର ଚାଷୀ, ଜାତିର ପଦ୍ମଶ୍ରୀ

 

ଦେଶରେ ବଡ଼ ବଡ଼ ଲୋକଙ୍କୁ ଭାରତ ସରକାର ଗୋଟିଏ ଗୋଟିଏ ଉପାଧିଦେଇ ସମ୍ମାନ କରନ୍ତି । କାରଣ ସେମାନେ ହେଉଛନ୍ତି ଆମର ଗର୍ବ ଆଉ ଗୌରବ । ସେହିପରି ନାଥୀ ସିଂହ ଆମର ଜଣେ ଆଦର୍ଶ ପୁରୁଷ । ସେ ଉତ୍ତର ପ୍ରଦେଶର ଅରହରା ଗ୍ରାମର ଗୋଟିଏ ସାଧାରଣ ଚାଷୀ । ଚାଷ କାମରେ ତାଙ୍କର ନାହିଁ ନ ଥିବା ସଫଳତା ଓ ନେତାପଣିଆ ଯୋଗୁଁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ଉପାଧି ଦେଇଥିଲେ । ନିଜର ଶ୍ରମ, ବୁଦ୍ଧି ଓ ଟାଣ ମନ ଯୋଗୁଁ ସେ ନିଜ କ୍ଷେତ୍ରରେ ବହୁତ ଶସ୍ୟ ଉପୁଜାଇ ଥିଲେ । ତା’ ସଙ୍ଗେ ସଙ୍ଗେ ସେଇ ଅଞ୍ଚଳରେ ବହୁଲୋକଙ୍କୁ ଏ ଦିଗରେ ଉତ୍ସାହ ଓ ପ୍ରେରଣା ଦେଇଥିଲେ ।

 

ସେତେବେଳେ ନାଥୀ ସିଂହଙ୍କର ବୟସ ଛଷଠି । ଏତେ ବୁଢ଼ା ହୋଇ ସୁଦ୍ଧା ତାଙ୍କର ଦେହକୁ ଅଳସ ଛୁଇଁ ନାହିଁ । କୋଉ କାମ କରିବାକୁ ତାଙ୍କର ଦକ ନାହିଁ । ବଅସର ଚାପରେ ତାଙ୍କର ଦେହ ଟିକିଏ ଦବି ଯାଇଥିଲେ ବି ମନ ଜମା ଚପି ନାହିଁ । ତାଙ୍କର ସରଳ ମଧୁର ବ୍ୟବହାର ସମସ୍ତଙ୍କୁ ମୁଗ୍‌ଧ କରୁଥାଏ । ଏତେ ବୁଢ଼ା ହେଲେ ବି ନୂଆ ଯୁଗର ନୂଆ କଥା, ନୂଆ ବିଚାର ଗ୍ରହଣ କରିବାକୁ ତାଙ୍କର ଭାରି ଝୁଙ୍କ । ବହୁତ ଫଳ ଫଳାଇବାପାଇଁ ଯେତେ ନୂଆ ନୂଆ ଯନ୍ତ୍ରପାତି, ବିହନ, ସାର ସବୁକିଛି ସେ କ୍ଷେତ୍ରରେ ଲଗାଇଥାନ୍ତି । ସେ ନିଜେ ବୁଝିଛନ୍ତି ଦିନକୁ ଦିନ ତାଙ୍କ ଜମିରେ ଅଧିକ ଫସଲ ଫଳୁଛି । ଆଖପାଖର ଲୋକେ କହନ୍ତି ନାଥୀ ସିଂହଙ୍କର ୬୬ ଏକର ଜମିରେ ଫସଲ ତ ନୁହେଁ, ସୁନା ଫଳୁଛି । ତାକୁ ଦେଖି ଅନ୍ୟ ଚାଷୀମାନେ ମଧ୍ୟ ନିଜ ନିଜ କ୍ଷେତରେ ଭଲ ଫସଲ ଫଳାଇବାରେ ମନ ଦେଲେ । ବାହାର ଲୋକେ କହିଲେ ଅରହରା ଗାଁରେ ଲକ୍ଷ୍ମୀ ଭଣ୍ଡାର ଅଜାଡ଼ି ହୋଇପଡ଼ିଛି । ଆଗେ ଗୋଟିଏ ଜମିରୁ ଯେତେ ଫସଲ ମିଳି ଥିଲା, ଏବେ ତା’ର ଦୁଇ ତିନିଗୁଣ ଅଧିକ ମିଳିଲା । ଫଳରେ ଲୋକମାନଙ୍କର ଅବସ୍ଥାରେ ବହୁ ପରିବର୍ତ୍ତନ ଦେଖା ଦେଲା । ଗାଁରୁ ଅଭାବ ଅସୁବିଧା ଘୁଞ୍ଚିଯାଇ ସୁଖ ଶାନ୍ତି ଉଛୁଳି ପଡ଼ିଲା ।

 

Image

 

ନାଥୀ ସିଂହ ଜଣେ ସାଧାରଣ ଚାଷୀ ଥିଲେ । ଆଜି ସେ ଗୋଟିଏ ଟ୍ରାକ୍‌ଟରର ମାଲିକ-। ନିଜ ପୁଅକୁ ଚାଷ କାମରେ ଲଗାଇ ସେ ଗାଁ ଗହଳିର ସେବା କରିବାରେ ମନ ପ୍ରାଣ ଢାଳି ଦେଇଛନ୍ତି । ସବୁ ଭିତରେ ଚାଷ କାମର ଉନ୍ନତି ହେଉଛି ତାଙ୍କର ବଡ଼ ଝୁଙ୍କ । ସବୁରି ଚାଷ କିପରି ଦିନକୁ ଦିନ ଅଧିକ ଭଲ ହେବ, ସେଥିପାଇଁ ରାତିଦିନ ତାଙ୍କର ଚିନ୍ତା । ବିଶ୍ରାମ କ’ଣ ସେ ଜାଣନ୍ତି ନାହିଁ । ପଞ୍ଚାୟତର ସେ ଜଣେ ମୁଖିଆ ସଭ୍ୟ ହୋଇଛନ୍ତି । ନିଜର ଗାଁକୁ ଖାଲି ନିଜ ଗ୍ରାମପଞ୍ଚାୟତ କିମ୍ୱା ଫତେପୁର ସିକ୍ରୀ ବ୍ଲକରେ ନୁହେଁ, ସାରା ଉତ୍ତର ପ୍ରଦେଶରେ ସବୁଠୁଁ ଆଗୁଆ କରିବେ ସେଥିପାଇଁ ତାଙ୍କର ପ୍ରବଳ ଚେଷ୍ଟା । ଏହି ଚେଷ୍ଟାରେ ସେ ସଫଳ ହୋଇପାରିଛନ୍ତି ।

 

୧୯୫୯ ମସିହା ଗୋଟିଏ ଅଭୁଲା ଘଟଣା । ଜାନକୀନାଥ ପ୍ରସାଦ ତାଙ୍କ ଗାଁର ଜଣେ ଭଦ୍ରଲୋକ । ସେ ସ୍ଥାନୀୟ ସମବାୟ ସମିତିର ସଭାପତି । ଗୋଟିଏ ବଡ଼ ଚାଷମେଳା ଦେଖିବାକୁ ସେ ଯାଇଥିଲେ । ସେଠାରୁ ଫେରି ଚାଷର କିପରି ଉନ୍ନତି କରିବେ, ସେଥିପାଇଁ ବିଚାର କଲେ । ବଡ଼ ବଡ଼ ଚାଷୀମାନଙ୍କୁ ପଚାରିଲେ । ସମସ୍ତଙ୍କଠାରୁ ନିରାଶ କଥା ଶୁଣି ସେ ହତାଶ ହେଲେ । ଜାନକୀନାଥ ଶେଷରେ ନାଥୀ ସିଂହଙ୍କୁ କହିଲେ–ଆମପରି ଆଗୁଆ ଚାଷୀ ମନଦେଇ ଲାଗି ପଡ଼ିଲେ ଭଲ ଫସଲ ଫଳାଇ ପାରିବା । ଅନ୍ୟମାନେ ଆମକୁ ଦେଖି ଆଗେଇବାକୁ ଚେଷ୍ଟା କରିବେ ।

 

ନାଥୀ ସିଂହ ଉତ୍ତର ଦେଲେ–ଆମେ ଅବଶ୍ୟ କେତେ ଜଣ ମନ ଦେଲେ ଭଲ ହେବ । କିନ୍ତୁ ସମସ୍ତେ ଏକାଠି ଲାଗି ନ ପଡ଼ିଲେ ଯଥେଷ୍ଟ ଫସଲ ଫଳିବ ନାହିଁ । ଦେଶର ଖାଦ୍ୟ ଅଭାବ ଦୂର ହେବନାହିଁ ।

 

ଜାନାକୀନାଥ ପଚାରିଲେ–ତେବେ କ’ଣ କଲେ ଠିକ୍‌ ହେବ ଆପଣ କହନ୍ତୁ । ଆପଣ ଏ ଦିଗରେ ବାଟ ବତାଇ ଦିଅନ୍ତୁ । ସମସ୍ତଙ୍କ ମନ ନେଇ କାମ କରିବା ତ କମ୍‌କଷ୍ଟକର କଥା ନୁହେଁ-!

 

ନାଥୀ ସିଂହ ୬୬ ବର୍ଷର ବୃଦ୍ଧ ହେଲେ ବି ମନରେ ତାଙ୍କର ୨୬ ବର୍ଷର ଯୁବକର ଦୃଢ଼ ମନବଳ ଆଉ କାର୍ଯ୍ୟଦକ୍ଷତା ଭରି ରହିଛି । ହସ ହସ ମୁହଁରେ ସେ ଉତ୍ତର ଦେଲେ–ନିଶ୍ଚୟ ! ଯାହା କହୁଛନ୍ତି ତା’ ନିରାଟ ସତକଥା ! କିନ୍ତୁ କୁହନ୍ତୁ ଭଲା, କଷ୍ଟ ନକରି କୃଷ୍ଣ କେଉଁଠୁଁ ମିଳିବେ ? ଆମେ ଆମ ଗ୍ରାମ ପଞ୍ଚାୟତପାଇଁ ଗୋଟିଏ ଉତ୍ପାଦନ ଯୋଜନା ତିଆରି କରିବା । ସେଥିରେ ପ୍ରତ୍ୟେକ ଚାଷୀ ଭାଗ ନେବେ । ଅଧିକ କେତେ ଫସଲ ଆମେ ଫଳାଇବା ଏକାଠି ବିଚାରି ଠିକ୍‌ କରିବା । ସବୁ ରକମ ଉପାୟକରି ଆମେ ଲକ୍ଷ୍ୟ ହାସଲ କରିବାକୁ ଯତ୍ନ କରିବା । ଯତ୍ନ କଲେ ରତ୍ନ ମିଳେ । ଅନ୍ୟ ଗ୍ରାମପଞ୍ଚାୟତଗୁଡ଼ିକ ଏଇ ଆଦର୍ଶରେ ଯୋଜନା କରିବାକୁ ବୁଝାଇବା । ଏଇପରି ବ୍ଲକ୍‌ର ପ୍ରତି ଗ୍ରାମ ଅଧିକ ଶସ୍ୟ ଉତ୍ପାଦନ କରିବାକୁ ଶପଥ ନେବେ । ଗୋଠ ମାତିଲେ ଖଣ୍ଡିଆ ମାତି ଉଠିବେ ।

 

ଜାନକୀନାଥ କହିଲେ ତା’ହେଲେ ଉତ୍ପାଦନପାଇଁ ଆମକୁ ବ୍ଲକ ସ୍ତରରେ ଗୋଟିଏ ଯୋଜନା କରିବାକୁ ହେବ ?

 

ବୁଢ଼ା ନାଥୀ ସିଂହ ଉତ୍ତର ଦେଲେ–ହଁ, ମୁଁ ତ ସେଇଆ ଭାବୁଛି । ସବୁରି ମନନେଇ ଯୋଜନା କଲେ ଜମା ବିଫଳ ହେବନାହିଁ । ଲୋକମାନଙ୍କ ବଳରେ ମୋର ଭାରି ଆସ୍ଥା ଅଛି, ବିଶ୍ୱାସ ଅଛି । ଜନତା ଜନାର୍ଦ୍ଦନ ଚେଇଁ ଉଠିଲେ ଜମିରୁ ଅଧିକ ଫସଲ କ’ଣ, ସୁନା ଫଳିବ !

 

ସେଦିନ ସଞ୍ଜରେ ଆରହର ଗ୍ରାମସଭାର ବୈଠକ ବସିଲା । ପ୍ରତ୍ୟେକ ଲୋକ ନାଥୀ ସିଂହଙ୍କ କଥାକୁ ପସନ୍ଦ କଲେ । ନିଜପାଇଁ ଯାହା ଭଲ, ଯେଉଁଥିରେ ସବୁରି ମଙ୍ଗଳ, ସେକଥା ବା କାହାକୁ ଭଲ ଲାଗିବ ନାହିଁ । ଏବର୍ଷ ଗହମ ଫସଲ ଏକର ପିଛା କେତେ ବଢ଼ାଇବାକୁ ହେବ ସେ ବିଷୟରେ ଘମାଘୋଟ ଆଲୋଚନା ଚାଲିଲା । କେତେକ ଉତ୍ସାହୀ ଯୁବକ ଚାଷୀ କହିଲେ–ଏକର ପିଛା ୫୦ ମହଣରୁ କମ୍‌ ଫସଲ ଉତ୍ପାଦନ କରିବାକୁ ହେବନାହିଁ । କିନ୍ତୁ ଅନେକେ କହିଲେ–ବର୍ତ୍ତମାନ ପରିସ୍ଥିତିରେ ଏତେ ଅଧିକ ଉତ୍ପାଦନ କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ହେବନାହିଁ । ଶେଷରେ ଏକର ପିଛା ଅତିକମରେ ୩୫ ମହଣ ଗହମ ଉତ୍ପାଦନ କରିବାକୁ ସ୍ଥିର କରାଗଲା । ଏହି ଲକ୍ଷ୍ୟକୁ ପୂରଣ କରିବାପାଇଁ ବୁଢ଼ା ନାଥୀ ସିଂହ ସମସ୍ତଙ୍କୁ ଅନୁରୋଧ କଲେ । ସମସ୍ତେ ଅଣ୍ଟାଭିଡ଼ି ଯେମିତି ଏଇ କାମରେ ଲାଗିଯିବେ ସେଥିପାଇଁ ତାଙ୍କର ମରମଛୁଆଁ କଥା ବୁଢ଼ାଠାରୁ ଟୋକାଯାଏ ସମସ୍ତଙ୍କୁ ନୂଆ ଆଶା, ବିଶ୍ୱାସ ଓ ମନବଳ ଭରିଦେଲା । ଅଭାବ ବିରୁଦ୍ଧରେ ଲଢ଼େଇ ଆରମ୍ଭ ହୋଇଗଲା ।

 

Image

 

କିଛିଦିନ ପରେ ପଞ୍ଚାୟତ ସମିତି ବୈଠକ ବସିଲା । ଯେତେବେଳେ ଅଧିକ ଖାଦ୍ୟ ଉତ୍ପାଦନ ବିଷୟରେ ଆଲୋଚନା ଚାଲିଲା ସେତେବେଳେ ନାଥୀ ସିଂହ ଠିଆ ହୋଇ ଧୀର ଅଥଚ ଦୃଢ଼ ସ୍ୱରରେ କହିଲେ–ଏବର୍ଷ ଆମ ଗ୍ରାମ ସଭାରେ ଏକର ପିଛା ଅତି କମରେ ୩୫ ମହଣ ଗହମ ଫଳାଇବାକୁ ସ୍ଥିର କରିଛୁ । ଏକଥା ଶୁଣି ସମସ୍ତେ ଅବାକ୍‌ ହେଲେ । ଏକରକୁ ୨୦ । ୨୨ ମହଣ ଫଳାଇବା କଷ୍ଟକର ହେଉଛି । ସେମାନେ ସମସ୍ତେ ହାରାହାରି ଏକର ପିଛା ୩୫ ମହଣ କିପରି ଫଳାଇବେ !! ଗୋଟିଏ ଗ୍ରାମସଭା ତରଫରୁ ଏପରି ସିଦ୍ଧାନ୍ତ ହୋଇଥିବା ଜାଣି, ଆଉ ବୁଢ଼ା ନାଥୀ ସିଂହଙ୍କର ବିଶ୍ୱାସଭରା କଥା ଶୁଣି ସମିତିର ସଭ୍ୟମାନେ ଏହାକୁ ଏକ ଆହ୍ୱାନବୋଲି ମନେ କଲେ-। ଜଣେ ସଭ୍ୟ ତାଙ୍କ ଗ୍ରାମରେ ଏଇ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବେବୋଲି ଜଣାଇ ଦେଲେ-। ତା’ପରେ ଅନ୍ୟମାନେ ଏହା ସପକ୍ଷରେ ନିଜର ମତ ନଦେଇ ରହିପାରିଲେନାହିଁ । ଏହିପରି ଭାବରେ ବୈଠକରେ ଖୁବ୍‌ ଉତ୍ସାହ ସୃଷ୍ଟି ହେଲା । ଶେଷରେ ପଞ୍ଚାୟତ ସମିତି ଏହି ମର୍ମରେ ଏକ ପ୍ରସ୍ତାବ ଗ୍ରହଣ କରିନେଲେ ।

 

ନାଥୀ ସିଂହ ନିଜର କଥାକୁ ସଫଳ କରାଇବାପାଇଁ ସବୁଠୁଁ ବେଶୀ ଲାଗିପଡ଼ିଥିଲେ । ଦିନ ନାହିଁ, ରାତି ନାହିଁ–ଅକ୍ଳାନ୍ତ ପରିଶ୍ରମ କଲେ । ଗାଁ ଗାଁ ବୁଲି ଚାଷୀମାନଙ୍କୁ ଉତ୍ସାହ ଦେଲେ, ସାହାଯ୍ୟ କଲେ । ଚାଷରେ ଯାହାର ଯାହା ଦରକାର ପଡ଼ୁଛି ତାକୁ ଆଣି ଯୋଗାଇ ଦେବାରେ ସେ ପଛାଇଲେ ନାହିଁ । କ୍ଷେତ କାମରେ ହାଲିଆ ହୋଇପଡ଼ିଲା ବେଳେ ନାଥୀ ସିଂହଙ୍କର ମଧୁର କଥା କେଇପଦ ଦେହରେ ନୂଆ ବଳ ସଞ୍ଚାର କଲା । କାହାର ନିରାଶ ମନରେ ତାଙ୍କର ଆଶ୍ୱାସନା ନୂଆ ଆଶା ଭରିଦେଲା ।

 

ଅରହରା ଗାଁର କ୍ଷେତଗୁଡ଼ିକରେ ଚାଷୀମାନଙ୍କର ଶ୍ରମ ଆଉ ଶକ୍ତିର ସୁଅ ଛୁଟିଲା । ଭଲ ଭଲ ବିହନ ବୁଣାଗଲା । ନୂଆ ନୂଆ ପ୍ରକାର ସାର ଜମିରେ ଦିଆଗଲା । ଯେଉଁଠି ଦରକାର ପଡ଼ିଲା କୀଟନାଶକ ଔଷଧ ବିଞ୍ଚାଗଲା । ବୈଜ୍ଞାନିକ ଯନ୍ତ୍ରପାତି ବ୍ୟବହାର କରାଗଲା । ବ୍ଲକ କର୍ମଚାରୀମାନେ ଏ ଦିଗରେ ଚାଷୀମାନଙ୍କୁ ସବୁପ୍ରକାର ସାହାଯ୍ୟ କଲେ । ସମବାୟ ସମିତି ଜରିଆରେ ସବୁ ଚାଷ ସରଞ୍ଜାମ, ସାର, ବିହନ ଆଦି ଶସ୍ତା ଓ ସୁବିଧାରେ ସେମାନଙ୍କୁ ଯୋଗାଇ ଦିଆଗଲା । ଗହମ କ୍ଷେତରେ ଶାଗୁଆ ଲହରୀ ଖେଳିଗଲା ।

 

ଦିନ ପରେ ଦିନ, ମାସ ପରେ ମାସ ଗଲା । ଗହମ କ୍ଷେତରେ ସୁନାର ଫସଲ ହସି ଉଠିଲା । ଅରହରା ଗାଁର ସବୁରି ମୁହଁରେ ଆନନ୍ଦ ଆଉ ଆତ୍ମବିଶ୍ୱାସ ଫୁଟି ଉଠିଲା । ଗହମ ଅମଳ କରାଗଲା । ହିସାବରୁ ଜଣାଗଲା ହାରାହାରି ଏକର ପିଛା ୩୯ ମହଣ ଗହମ ଫଳିଛି । ସମସ୍ତେ ପିଲାଠାରୁ ବୁଢ଼ାଯାଏ ଆନନ୍ଦରେ ବିହ୍ୱଳ ହେଲେ । ସେଇ ଗ୍ରାମସଭା ସରକାରଙ୍କଠାରୁ ଏକହଜାର ଟଙ୍କା ପୁରସ୍କାର ପାଇଲା । କିନ୍ତୁ ଗ୍ରାମର ଚାଷୀମାନେ ପ୍ରାୟ ଦି’ଗୁଣ ଗହମ ଫସଲ ପାଇ ନିଜ ନିଜକୁ ଯଥେଷ୍ଟ ପୁରସ୍କାର ଦେଇପାରିଥିଲେ । ସେଇ ଗାଁ ଖାଦ୍ୟ ଶସ୍ୟରେ ଭରପୂର ହୋଇଗଲା । ନିଜେ ସ୍ୱଚ୍ଚନ୍ଦରେ ଚଳି ସେମାନେ ଅନ୍ୟମାନଙ୍କୁ ଶସ୍ୟ ବିକିଲେ । ସେମାନଙ୍କ ଅବସ୍ଥାରେ ନାହିଁ ନଥିବା ପରିବର୍ତ୍ତନ ହେଲା । ଆଗରୁ ଯେଉଁମାନେ କରଜରେ ବୁଡ଼ିଥିଲେ ସେମାନେ ସେଥିରୁ ମୁକୁଳି ଆଶ୍ୱସ୍ତିରେ ନିଶ୍ୱାସ ମାରିଲେ ।

 

ଗାଁ ପରିମଳ ଧୋବା ତୁଠରୁ, ଗାଁର ଉନ୍ନତି ସ୍କୁଲ ଘରୁ । ସ୍କୁଲପାଇଁ ସୁନ୍ଦର ପକ୍‌କା ଘରଟିଏ ତିଆରି ହେଲା । ଗାଁ ରାସ୍ତା ପକ୍‌କା ହୋଇଗଲା । ଗାଁ ସାରା ଶୋଭାର ପସରା ମେଲିଗଲା । ଚଉଦିଗରେ ଆନନ୍ଦ ମଉଚ୍ଚ୍ଥବ ଲାଗିଗଲା । ସବୁରି ମୁହଁରେ ଉକୁଟି ଉଠିଲା ହସ; ଆଉ ସେହି ହସ ସାଥିରେ ଖେଳିଗଲା ବୁଢ଼ା ନଥୀ ସିଂହଙ୍କର ଜୟଗାନ ।

 

ଅରହରାର ଉଜ୍ଜ୍ୱଳ ଆଦର୍ଶ ଖାଲି ସେଇ ଗ୍ରାମସଭା ବା ପଞ୍ଚାୟତ ସମିତିରେ ଲୁଚି ରହିଲା ନାହିଁ । ପ୍ରଦେଶର ଉନ୍ନୟନ ସଭାରେ ଏହା ଆଲୋଚିତ ହେଲା; ଆଉ ସବୁ ଗ୍ରାମସଭା ଏଇ ଆଦର୍ଶରେ କାମ କରିବାକୁ କୁହାଗଲା । ଅରହରା ଗାଁର ସଫଳ କାହାଣୀକୁ ରୂପଦେଇ ଅନେକ ଚିତ୍ରପଟ ତିଆରି କରାଗଲା । ରାଜ୍ୟର ପ୍ରାୟ ଆଠହଜାର ଗ୍ରାମସଭାକୁ ପଠାଗଲା । ନାଥୀ ସିଂହଙ୍କର ସ୍ୱପ୍ନ ସାରା ରାଜ୍ୟରେ ରୂପ ନେଲା । ଶେଷରେ ଏହା ଉପରେ ଭାରତ ସରକାରଙ୍କ ଆଖି ପଡ଼ିଲା । ଜାତି ତରଫରୁ ନାଥୀ ସିଂହଙ୍କୁ ସମ୍ମାନ ଦିଆଗଲା ।

Image

 

ମୂଲିଆ ପରି ଲାଗ, ମାଲିକ ପରି ଭୋଗ

 

ମାନ୍ଦ୍ରାଜଠାରୁ ୩୫ କିଲୋମିଟର ଦୂରରେ ପାଦପାଈ ଗାଁ । ସେଠାରେ ଜଣେ ବ୍ରାହ୍ମଣ ଯୁବକ । ତାଙ୍କର ନାମ ଶ୍ରୀନିବାସନ୍‌। ସେ ତିରିଶ ଏକରର ଗୋଟିଏ କ୍ଷେତ ଖମାରର ମାଲିକ । ସେଥି ଭିତରେ ସେ ଧାନ ଚାଷ କରନ୍ତି, ପନିପରିବା କରନ୍ତି, ଫଳଫୁଲ ଉପୁଜାନ୍ତି, ମେଣ୍ଢା ପାଳନ୍ତି ଆଉ କୁକୁଡ଼ା ବି ପୋଷିଛନ୍ତି । ଜନ୍ମରୁ ସେ ଚାଷୀ ନୁହନ୍ତି । କିନ୍ତୁ ନିଜକୁ ସେ ଜଣେ ଭଲ ଚାଷୀ ରୂପରେ ଗଢ଼ି ପାରିଛନ୍ତି । ଭଲ ଜାତିଆ ମେଣ୍ଢା ଓ କୁକୁଡ଼ା ପାଳିବାରେ ତାଙ୍କର ବେଶ୍‌ ସୁନାମ ରହିଛି । କିନ୍ତୁ ସେ ନିଜେ ଖାଣ୍ଟି ନିରାମିଷାଶୀ । ମାଛ, ମାଂସ କି ଅଣ୍ଡା ସେ କେବେ ଖାଆନ୍ତି ନାହିଁ ।

 

ଏଡ଼େ ବଡ଼ କ୍ଷେତର ମାଲିକ ହୋଇ ଶ୍ରୀନିବାସନ୍‌ଙ୍କ ମନରେ ତିଳେ ହେଲେ ଗର୍ବ ନାହିଁ, କି ବଡ଼ିମା ନାହିଁ । ଦିନସାରା ସେ ଖଟିଥାନ୍ତି । ଅଳସ ଓ ବିଳାସ ତାଙ୍କର ପାଖ ପଶେ ନାହିଁ । କେତେବେଳେ ସେ କ୍ଷେତରେ ହଳ କରୁଥାନ୍ତି ତ କେତେବେଳେ ଛୋଟ କୁକୁଡ଼ା ଛୁଆଙ୍କୁ ଆହାର ଦେଉଥାନ୍ତି । ଧାନ କିଆରୀରେ ସେ କେତେବେଳେ କାମଦାମ ଦେଖୁଥାନ୍ତି ତ କେତେବେଳେ ନାଳର ପାଣିକୁ ଜମିରେ ମଡ଼ାଉ ଥାନ୍ତି । ସେ ଦିନ ତମାମ ଯେଉଁପରି ନାନା କାମରେ ଲାଗି ପଡ଼ିଥାନ୍ତି, ଯେ କୌଣସି ଲୋକ ମନେକରିବ ଯେ ସେ ସବୁଥିରେ ପକ୍‌କା; ଆଉ ସାରା ନାଟକଟିର ଓସ୍ତାଦ ।

 

ଶ୍ରୀନିବାସନ୍‌ଙ୍କର ବୟସ ଏବେ ଜମା ତିରିଶ ବତିଶବର୍ଷ ହୋଇଛି । ତାଙ୍କୁ ଆଖପାଖରେ ସମସ୍ତେ ‘ପାପା’ବୋଲି ଜାଣନ୍ତି । ତାମିଲ ଭାଷାରେ ‘ପାପା’ କହିଲେ ପିଲାଙ୍କୁ ବୁଝାଏ । ସେ ପ୍ରକୃତରେ ଗୋଟାଏ ନାମଜାଦା ଖବରକାଗଜ ଅଫିସରେ କାମ କରନ୍ତି । ତାଙ୍କର ପାଞ୍ଚ ପୁଅ । ସେମାନଙ୍କ ମଧ୍ୟରେ ଦୁଇ ଭାଇ ସାମ୍ୱାଦିକ; ଆଉ ଦୁଇ ଭାଇ ବ୍ୟାଙ୍କରେ କାମ କରନ୍ତି-। ସବା ସାନ ଭାଇ ଶ୍ରୀନିବାସନ୍‌ (ପାପା) । ସେ ବାବୁଗିରିକି ଜମା ପସନ୍ଦ କଲେ ନାହିଁ । କାହିଁକି ଜାଣିବା ଅବଶ୍ୟ କଷ୍ଟକର ।

 

Image

 

ତେବେ ତାଙ୍କୁ ପଚାରିଲେ ସେ କହନ୍ତି–ପ୍ରଥମେ ୧୯୦୯ ମସିହାରେ ମୋର ବାପା ପାଦପ୍‌ପାଇଠାରେ ଗୋଟିଏ ୧୦ ଏକରର ଜାଗା କିଣିଲେ । ଜମି ଖଣ୍ଡ ପୂରା ପଡ଼ିଆ ପଦର ଓ ଟାଙ୍ଗର ହୋଇପଡ଼ିଥିଲା । ସ୍ଥାନୀୟ କେତେକ ଲୋକଙ୍କୁ ଲଗାଇ ସେ କେତେ ଗଛ ପଣସ ଓ ଆମ୍ୱ ସେଠାରେ ପୋତି ଥିଲେ । ମୋର କିନ୍ତୁ ଚାଷବାସ କରିବାକୁ ଭାରି ମନ ହେଉଥିଲା । ମୁଁ ୧୯୫୭ରେ ହାଇସ୍କୁଲ ପରୀକ୍ଷାରେ ପାସ୍‌କରି ପାଦପ୍‌ପାଇ ଗାଁକୁ ମୋର ଭାଗ୍ୟ ପରୀକ୍ଷା କରିବାକୁ ଆସିଲି ।

 

କିନ୍ତୁ ସେଇ ଜମିରେ କିଛି ଚାଷ କାମ କରିବା ବଡ଼ କଷ୍ଟକର ଥିଲା । ଭୂଇଁ ତ ଶୁଖିଲା । ପାଣି ଟୋପେ ପାଇବା ମଧ୍ୟ ମୁସ୍କିଲ । ଶ୍ରୀନିବାସନ୍‌ ବିଜୁଳିଶକ୍ତି ସାହାଯ୍ୟରେ ପାଣି ମଡ଼ାଇବାକୁ ଭାବିଲେ । କୂଅଟିଏ ଖୋଳିବାପାଇଁ ରାଜ୍ୟ ସରକାରଙ୍କୁ ଋଣ ମାଗିଲେ । ଋଣ ପାଇ ବଡ଼ କୂଅଟିଏ ଖୋଳିଲେ; ଆଉ ଶକ୍ତିଶାଳୀ ପମ୍ପଟିଏ ଲଗାଇଲେ । ବର୍ତ୍ତମାନ ଜମିରେ ପାଣି ମଡ଼ାଇବା ଅସୁବିଧା ଦୂର ହୋଇଗଲା । ସେଠାରେ ରାଶି ଆଉ ଲଙ୍କାମରିଚ ଚାଷ ଆରମ୍ଭ ହୋଇଗଲା ।

 

୧୯୫୯ ମସିହାରେ ଶ୍ରୀନିବାସନ୍‌ଙ୍କ ବାପା ଆଉ ଚାରି ଏକର ଜମି ସେଠାରେ କିଣି ଦେଲେ । ସେହି ଜମିରେ ବି ଆଗଭଳି ପାଣି ମଡ଼ାଇବା ଭାରି କଷ୍ଟକର ଥିଲା । ତେଣୁ ଯେଉଁ ଗଛ ବେଶୀ ପାଣି ଲୋଡ଼େ ନାହିଁ, ଅଥଚ ସେ ଭାରି ଦରକାର ପଡ଼ୁଛି, ସେଇଭଳି ଗଛ ସେଠାରେ ଲଗାଇବାକୁ ଶ୍ରୀନିବାସନ୍‌ ଭାବିଲେ । ସେ ପଛ ଚାରି ଏକର ଜମିରେ ଜାଳେଣି ପାଇବାକୁ ଚାଖୁଣ୍ଡା ଗଛର ଚାରା ଲଗାଇ ଦେଲେ । ସେ ମଧ୍ୟ ଆଗରୁ ଲଗା ଯାଇଥିବା ଏତେ ଜାଗାରେ ପଣସ ଆଉ ଆମ୍ୱଗଛ ରଖିବାକୁ ଚାହିଁଲେ ନାହିଁ । ତା’ ବଦଳରେ ସେ କିଛି ଖାଦ୍ୟ ଶସ୍ୟ ଚାଷ କରିବାକୁ ଇଚ୍ଛା କଲେ । ୧୯୬୦ ମସିହାରେ ସେ ଆଉ ଗୋଟିଏ କୂଅ ଖୋଳାଇ ଆଗଠାରୁ ଟିକିଏ ଛୋଟ ପମ୍ପ ସେଥିରେ ଲଗାଇଲେ । ତା’ପରେ କେତେକ ଜାଗାରୁ ପଣସ ଗଛ କାଟି ପ୍ରଥମଥରପାଇଁ ସେଠାରେ ଧାନ ବୁଣିଲେ ।

 

ଏ ପର୍ଯ୍ୟନ୍ତ ଶ୍ରୀନିବାସନ୍‌ ସବୁ କଥା ଏକା ବୁଝୁଥିଲେ । ଦିନ ସାରା ନିଜେ ଖଟି ଅନ୍ୟକୁ ଖଟାଇ ତା’ରି ଭିତରେ ନିଜେ ରୋଷାଇବାସ କରି ଖିଆପିଆ ମଧ୍ୟ କରୁଥିଲେ । କିନ୍ତୁ ଯେତେବେଳେ କାମ ଖୁବ୍‌ ବଢ଼ିଗଲା, ଆହୁରି ଅଧିକ ସମୟ ଦେଖାଚାହାଁ ଦରକାର ପଡ଼ିଲା, ସେ ଗୋଟିଏ ପୂଜାରୀ ରଖିଲେ । ତା’ ନାଁ ରାଜୁ । କିନ୍ତୁ ସଙ୍ଗଗୁଣରୁ ଯେମିତି ମଣିଷ ଭଲ ଆଉ ଖରାପ ଗୁଣ ଶିଖିଯାଏ, ରାଜୁ, ସେମିତି ଶ୍ରୀନିବାସନ୍‌ଙ୍କଠାରୁ ବହୁତ ଭଲ କଥା ଶିଖିଗଲା । ସେ ଖାଲି ରୋଷେଇ କଲା ନାହିଁ । ସେ ଚାଷବାସ ଆଉ କଠିନ ପରିଶ୍ରମରେ ମଧ୍ୟ ଆଗ୍ରହୀ ହେଲା । ସେ କ୍ଷେତ କାମରେ ସାହାଯ୍ୟ କରିବାରୁ ଶ୍ରୀନିବାସନ୍‌ ଉତ୍ସାହିତ ହୋଇ ଆଉ ଅଧିକ ଚାଷକରି ଫସଲ ଫଳାଇବାରେ ଲାଗିଲେ ।

 

Image

 

୧୯୬୧ ମସିହାରେ ପୁଣି ପାଞ୍ଚ ଏକର ଆଉ ୧୯୬୪ରେ ପ୍ରାୟ ଏଗାର ଏକର ଜମି କିଣାଗଲା । କିନ୍ତୁ ଏସବୁ ଜମି ଅଲଗା ଅଲଗା ଦୁଇଟି ଗାଁରେ । ଏଇ ନୂଆ ୧୬ ଏକର ଭିତରୁ ଅଧେ ଜମିରେ ଚାକୁଣ୍ଡା, ଝାଉଁ ଆଦି ଗଛ ଲାଗିଲା । ଆଉ ଅଧକରେ ମେଣ୍ଢା, କୁକୁଡ଼ା ଚରିବାପାଇଁ ଘାସ ପଡ଼ିଆ ହେଲା । କୂଅ ପାଖରେ ଥିବା ଆଉ ଚାରି ଏକର ଜମିରୁ ପଣସ ଗଛତକ କାଟିଦେଇ ସେଠାରେ ଧାନଚାଷ କରାଗଲା ।

 

ଏବେ ଶ୍ରୀନିବାସନ୍‌ ମୁଣ୍ଡକୁ ଆଉ ଗୋଟିଏ ନୂଆ ଯୋଜନା ଆସିଲା । ସେ ଭାବିଲା ମାନ୍ଦ୍ରାଜ ସହରରେ ସମୟ ସମୟରେ ଫୁଲର ଅଭାବ ପଡ଼େ । ତେଣୁ ପାଦପ୍‌ପାଇଠାରେ ଖଣ୍ଡେ ଜାଗାରେ କାହିଁକି ଫୁଲ ବଗିଚାଟିଏ କରିବା ନାହିଁ ? ଫଳରେ ଗୋଟିଏ ସୁନ୍ଦର ବଗିଚା ସେଠି ବଢ଼ି ଉଠିଲା । ବର୍ତ୍ତମାନ ସେଠାରେ ତିନିହଜାରରୁ ଅଧିକ ଗଛ ରହିଛି । ସେଠାରୁ ଅଳ୍ପ ଦୂରରେ ପନିପରିବା ବଗିଚା ଆଉ ସେଥିରେ ପ୍ରଚୁର ମୂଳା ଓ ଭେଣ୍ଡି ଫଳେ ।

 

ବ୍ରାହ୍ମଣମାନେ ଏମିତି ଚାଷବାସ କରିବା ତ ସହଜେ ଆଚମ୍ୱିତ କଥା ! ପୁଣି ସେମାନେ କୁକୁଡ଼ା ଫାର୍ମ କରିବା ଆହୁରି ଅଦ୍ଭୁତ ବିଷୟ । କିନ୍ତୁ ଶ୍ରୀନିବାସନ୍‌ ଏସବୁ ଅନ୍ଧ ପରମ୍ପରାର ବାହାରେ-। ସେ ନୂଆ ଯୁଗ ଆଉ ସମାଜର ଆଗୁଆ ଲୋକ । ପୁଣି ଶ୍ରୀନିବାସନ୍‌ଙ୍କଠାରୁ ଏଇ କୁକୁଡ଼ା ପାଳିବା ବିଷୟରେ କେତେକ ମଜା କଥା ଶୁଣିବାକୁ ମିଳେ ।

 

ସେ ଗାଁରେ ପ୍ରଥମେ କେତେଗୁଡ଼ିଏ ଦେଶୀ କୁକୁଡ଼ା ପାଳି ଥିଲେ । କିନ୍ତୁ ତାଙ୍କର ମରହଟ୍ଟୀ ବାପା ଏ କାମକୁ ଆଦୌ ପସନ୍ଦ କଲେ ନାହିଁ । ଶେଷରେ ସେମାନେ ଦିନେ କଥାର ସମାଧାନ କଲେ । ଖାଉଟିମାନଙ୍କୁ କୁକୁଡ଼ାତକ ନ ବିକି ଶ୍ରୀନିବାସନ୍‌ ସ୍ଥାନୀୟ ବି.ଡ଼ି.ଓ.ଙ୍କୁ ଦେଲେ । ବି.ଡ଼ି.ଓ. ସେତକ ପାଳିବାକୁ କେତେକଙ୍କ ମଧ୍ୟରେ ବାଣ୍ଟି ଦେଲେ । ଏହାର ଉଦ୍ଦେଶ୍ୟ ହେଲା ବ୍ରାହ୍ମଣ ଲୋକଙ୍କ ପକ୍ଷେ କୁକୁଡ଼ା ପାଳିବା ଅନ୍ୟାୟ । କୁକୁଡ଼ା ଖାଇବା ବା ଖାଇବାକୁ ବିକିବା ଆହୁରି ଦୋଷାବହ । ତେଣୁ ଅନ୍ୟମାନଙ୍କୁ କୁକୁଡ଼ା ମାଗଣାରେ ବାଣ୍ଟି ଦେବାରେ ବିଶେଷ କିଛି ପାପ ନାହିଁବୋଲି ବି.ଡ଼ି.ଓ.ଙ୍କୁ ଦିଆଯାଇଥିଲା ।

 

କିନ୍ତୁ ଥରେ ବମ୍ୱେରୁ ଜଣେ ଭଦ୍ରଲୋକ ଆସିଥିଲେ । ସେ ଶ୍ରୀନିବାସନ୍‌ଙ୍କ ବାପାଙ୍କୁ ଏମତି ଭାବରେ ବୁଝାଇ ଦେଲେ ଯେ ସେ କୁକୁଡ଼ା ଫାର୍ମ କରିବାରେ ଆଉ ଆପତ୍ତି କଲେ ନାହିଁ । ବରଂ ବମ୍ୱେରେ ଏ ବିଷୟରେ କୋଡ଼ିଏ ଦିନିଆ ତାଲିମ ପାଇବାକୁ ସେ ଶ୍ରୀନିବାସନ୍‌ଙ୍କୁ ଆନନ୍ଦରେ ପଠାଇଦେଲେ । ବମ୍ୱେରୁ ଫେରି ଶ୍ରୀନିବାସନ୍‌ ରାଜ୍ୟ ସରକାରଙ୍କଠାରୁ ଦୁଇହଜାର ଟଙ୍କା ସାହାଯ୍ୟ ପାଇଥିଲେ ଏବଂ ଛଅ ଶହ ଟଙ୍କାରେ ୧୭୨ଟି କୁକୁଡ଼ା ଛୁଆ କିଣିଥିଲେ । ବର୍ତ୍ତମାନ ତାଙ୍କର ୨୫୦ରୁ ଅଧିକ କୁକୁଡ଼ା ଅଛନ୍ତି ଏବଂ ସେଥିରେ କେବଳ ୧୦୦ ମାଈ କୁକୁଡ଼ା ସର୍ବଦା ଅଣ୍ଡା ଦେଇଥାନ୍ତି । ଆଉ ମଧ୍ୟ ଅଣ୍ଡା ଉଷୁମ କରିବାପାଇଁ ସେ ଗୋଟିଏ ଯନ୍ତ୍ର ରଖିଛନ୍ତି, ଯାହାଦ୍ୱାରା ଏକ ସମୟରେ ୧୦୦ଟି ଅଣ୍ଡାରୁ ଛୁଆ ଫୁଟିଥାଏ । ସେ ନିଜେ ଏ ଯନ୍ତ୍ରଟି କିରୋସିନି ତେଲରେ ଚଳାଇଥାନ୍ତି ।

 

ମେଣ୍ଢା ପାଳିବା କଥା କୁକୁଡ଼ା ପାଳିବା ଆଗରୁ ଶ୍ରୀନିବାସନ୍‌ ଚିନ୍ତା କରିଥିଲେ । ସେ ବି.ଡ଼ି.ଓ.ଙ୍କ ଜରିଆରେ ତିନୋଟି ଜାତିଆ ମେଣ୍ଢା ପାଇଥିଲେ । ବର୍ତ୍ତମାନ ସେଇ ସଂଖ୍ୟା ବଢ଼ି ୭୫ଟି ହେଲାଣି । କୁକୁଡ଼ାଙ୍କୁ ଭଲ ପାଇଲା ପରି ଶ୍ରୀନିବାସନ୍‌ ମେଣ୍ଢାଗୁଡ଼ିକୁ ବି ଭାରି ସୁଖ ପାନ୍ତି । ସେମାନଙ୍କର ଭଲ ମନ୍ଦପାଇଁ ତାଙ୍କର ଭାରି ଆଖି; ଆଉ ସେମାନଙ୍କର ଉନ୍ନତିପାଇଁ ସେ ଭାରି ଯତ୍ନବାନ୍‌।

 

ଏବେ ଶ୍ରୀନିବାସନ୍‌ ଆଉ କ୍ଷେତର କାମଦାମ ଓ ଉନ୍ନତି କରିବାପାଇଁ ବାପାଙ୍କ ଧନ ଉପରେ ନିର୍ଭର କରୁନାହାନ୍ତି । ସବୁ ମୂଲ ମଜୁରୀ ଆଉ ଅନ୍ୟାନ୍ୟ ଖର୍ଚ୍ଚବାର୍ଚ୍ଚ ଯାଇ ସେ ଶହ ଶହ ଟଙ୍କା ରୋଜଗାର କରୁଛନ୍ତି । ତାଙ୍କ ଆୟର ବଡ଼ ଭାଗ ଜାଳେଣି କାଠ ବିକି ପାଇ ପାରୁଛନ୍ତି । ବର୍ଷକୁ ଯାହା ଧାନ ପାଉଛନ୍ତି, ସେଥିରେ ତାଙ୍କର ପରିବାରଟି ସୁରୁଖୁରୁରେ ଚଳି ଯାଉଛନ୍ତି । ଫଳ ବିକି ସେ ମଧ୍ୟ ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି । ଅନେକ ମେଣ୍ଢା ମଧ୍ୟ ସେ ବିକି ଭଲ ଆୟ କରୁଛନ୍ତି ।

 

Image

 

୧୯୫୭ ରୁ ୧୯୬୭ ଏଇ ଦଶବର୍ଷ ଭିତରେ ଶ୍ରୀନିବାସନ୍‌ ଆଗରୁ କିଛି ତାଲିମ ଓ ଅଭିଜ୍ଞତା ନ ଥାଇ ଚାଷବାସ, ପଶୁପକ୍ଷୀ ପାଳନରେ ଯେପରି ସଫଳତା ଅର୍ଜନ କରିଛନ୍ତି ତାହା ସମସ୍ତଙ୍କର ଆଦର୍ଶ ଓ ଅନୁକରଣର କଥା । ଏହି ସାଫଲ୍ୟର ମୂଳରେ ରହିଛି ନିଜ କାର୍ଯ୍ୟପାଇଁ ଗଭୀର ନିଷ୍ଠା, ନୂତନ ଚିନ୍ତା ଆଉ କଠିନ ପରିଶ୍ରମ । ଯଦି ମୂଲିଆ ମଜୁରିଆ ଦିନ ଦଶଟାରେ କାମକୁ ଯା’ନ୍ତି ଶ୍ରୀନିବାସନ୍‌ ରାତି ପାଉ ପାଉ ଯାଇ କ୍ଷେତରେ ତାଙ୍କର କାମ ଆରମ୍ଭ କରିଦେଇଥାନ୍ତି । ସନ୍ଧ୍ୟାରେ ରେଡ଼ିଓ ଶୁଣି ଆଉ ପତ୍ରପତ୍ରିକା ପଢ଼ି ସେ ଆନନ୍ଦ ଅନୁଭବ କରନ୍ତି । ବିଶେଷକରି ଚାଷ ଓ କୁକୁଡ଼ା ପାଳନ ବିଷୟରେ ବାପା ଯେଉଁ ବହିପତ୍ର ପଠାଇଥାନ୍ତି ସେ ମନଦେଇ ପଢ଼ନ୍ତି । ତାଙ୍କର ପୋଷା କୁକୁର ଦଳେ ଅଛନ୍ତି, ଶୀଳା ମନି ପ୍ରଭୃତି ସେମାନଙ୍କ ନାଁ । ଶ୍ରୀନିବାସନ୍‌ ଯେଉଁଆଡ଼େ ଯା’ନ୍ତି, ସେମାନେ ତାଙ୍କ ପଛରେ ଚାଲିଥାନ୍ତି । ଆଉ ରାତିରେ କ୍ଷେତ ଖମାରକୁ ସେମାନେ ଖୁବ୍‌ ତୀକ୍ଷ୍‍ଣ ଦୃଷ୍ଟିରେ ଜଗିଥାନ୍ତି ।

 

ଶ୍ରୀନିବାସନ୍‌ ଆଜି ତାଙ୍କ ପରି ସେ ହୋଇଛନ୍ତି । ସେ ଅଞ୍ଚଳରେ ସବୁରି ଆଖି ତାଙ୍କ ଉପରେ । ମରୁଭୂମିରେ ସେ ଝରଣା ଝରାଇଛନ୍ତି । ମଲା ମାଟିରେ ଜୀବନ ଜଗାଇଛନ୍ତି । ପଡ଼ିଆ ପଦରରେ ଶାଗୁଆ କ୍ଷେତର ଲହରୀ ଖେଳାଇଛନ୍ତି । ଅଲୋଡ଼ା ମାଟିରେ ସୁନା ଫଳାଇଛନ୍ତି । ସେ ମୂଲିଆ ହୋଇ ଲାଗି ମାଲିକ ପରି ଭୋଗ କରୁଛନ୍ତି । ପୁରୁଣା ସମାଜରୁ ବାହାରି ନୂଆ ଯଗରେ ଆଗୁଆ ହୋଇଛନ୍ତି । ଏହିପରି ଶହ ଶହ ଶ୍ରୀନିବାସନ୍‌ଙ୍କୁ ଆଜି ଆମ ଦେଶ ଖୋଜୁଛି । ସେମାନେ ମିଳିଲେ ସବୁ ମିଳିବ । କିଛି ଅଭାବ ଅସୁବିଧା ରହିବ ନାହିଁ । ଆମ ଦେଶରେ ଘିଅ ମହୁର ସୁଅ ଛୁଟିବ ।

Image

 

ବୟସ ଯେଉଁଠି ହାର ମାନିଛି

 

ଆପଣ ପଞ୍ଚଷଠିବର୍ଷ ବୟସର ଯୁବକ କେବେ ଦେଖିଛନ୍ତି ? ବୁଢ଼ା ହେଲେ ବି ସେ ବେକାର ନୁହନ୍ତି । ବୟସ ବେଶୀ ହୋଇଥିଲେ ବି ଯୌବନର ଆଗ୍ରହ ଉତ୍ସାହ ଖସି ନାହିଁ । ହସି ହସି ସେ କାମ କରିଯାନ୍ତି । ତାଙ୍କର ଏଗାରଟି ପିଲା । ୧୧୦ ବିଘା ଜମି । ତାଙ୍କ କ୍ଷେତରେ ଦୁଇଟି କଳ ଲଙ୍ଗଳ କାମ କରେ । ତାଙ୍କର ଜାତିଆ ଗୋରୁଗାଈଙ୍କ ସଂଖ୍ୟା ତିରିଶରୁ କମ୍‌ ନୁହେଁ । କ୍ଷେତରେ ସେ ପ୍ରାୟ ଏକ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । କିନ୍ତୁ ସେ କେଉଁପରି ଘରେ ରହନ୍ତି ଜାଣିଛନ୍ତି-? ଛୋଟଘର । ଚାଳ ଛପର । ବାଉଁଶ ତିଆରି କାନ୍ଥ । କଷ୍ଟେ ମଷ୍ଟେ ଏତେ ବଡ଼ ପରିବାରଟି ସେଥିରେ ଚଳିଯା’ନ୍ତି । ଅବଶ୍ୟ ଘରଟି ଦେଖିବାକୁ ସଫା ସୁତୁରା ।

 

ଆପଣ ନିଶ୍ଚୟ ଭାବୁଥିବେ ଲୋକଟା ନିପଟ ଲୋଭୀ । ନ ହେଲେ ଏତେ ଧନ ସମ୍ପତ୍ତିର ମାଲିକ ହୋଇ ଏମିତି ଘରେ ଚଳନ୍ତେ କିପରି ? ଏପରି କେତେ କଥା ଆପଣଙ୍କ ମନରେ ଖେଳିଯିବ । ତେଣୁ ତାଙ୍କର ପରିଚୟଟା ଆପଣଙ୍କୁ ଦେବା ନିତାନ୍ତ ଦରକାର । ଆପଣ ସତେ ତାଙ୍କ ବିଷୟରେ କେଡ଼େ ଭୁଲ ଧାରଣାକରି ଦେଉଛନ୍ତି ।

 

ତାଙ୍କ ନାମ ଯତୀନ୍ଦ୍ର ନାଥ ଘୋଷ । ତାଙ୍କର ଗାଁ ନାଁ ମାଣିକତୋଳା । କଲିକତାଠାରୁ ପ୍ରାୟ ୨୦ ମାଇଲ ଦୂର । ଏମିତି ଅସୁବିଧା ଭିତରେ କାହିଁକି ଚଳୁଛନ୍ତିବୋଲି ପଚାରିଲେ ସେ ହସି ହସି ଉତ୍ତର ଦିଅନ୍ତି । ‘‘ଯେତେବେଳଯାଏ ମୁଁ ଏଠାରେ ଗୋଟିଏ ଆଦର୍ଶ କ୍ଷେତ ଆଉ ଖୁଆଡ଼େ ଭଲ ଗାଈ ରଖିନାହିଁ, ସେଯାଏ ମୋର ସୁଖଶନ୍ତିକି କିଏ ପଚାରେ ?’’ ତାଙ୍କ ସ୍ତ୍ରୀ ମଧ୍ୟ ବଡ଼ ପରିଶ୍ରମୀ । ସେ ସ୍ୱାମୀଙ୍କ କଥାରେ ମୁଣ୍ଡ ଟୁଙ୍ଗାରି ଦିଅନ୍ତି । ଉଭୟଙ୍କର ଟାଣ ମନବଳ ଦେଖିଲେ ଯେ କୌଣସି ଲୋକ ଅବାକ୍‌ ହେବ ।

 

ତାଙ୍କର ମଫସଲି ଚାଲିଚଳନ ଆଉ ଗାଉଁଲି ପୋଷକ ଦେଖିଲେ କିଏ ଭାବିବ ଯେ ସେ ବି.ଏସ୍‌ସି. ପର୍ଯ୍ୟନ୍ତ କଲେଜରେ ପାଠ ପଢ଼ିଛନ୍ତି ! ତାଙ୍କ କଲେଜ ପଢ଼ା ପୁଣି ୧୯୨୫ ମସିହାର କଥା ! ପୂର୍ବ ପାକିସ୍ଥାନର ଖୁଲନା ସହର ତାଙ୍କର ଜନ୍ମସ୍ଥାନ । ସେଇଠି ସେ ଜଣେ ନାମଜାଦା କଣ୍ଟ୍ରାକ୍‌ଟର ଥିଲେ । ୧୯୫୦ ମସିହାରେ ପଶ୍ଚିମ ବଙ୍ଗଳାକୁ ତାଙ୍କର ବଡ଼ଭାଇ ସହିତ ଚାଲି ଆସିଥିଲେ । ଏଠାରେ ସେ ୧୪୦ ବିଘା ଜମି କିଣିଲେ । ସେଥିରୁ ୪୦ ବିଘା ଖାଲି ସନ୍ତସନ୍ତିଆ ଖାଲ ଜାଗା । ଜମିର ଅବସ୍ଥା ଦେଖି ସେ ବିଚାର କଲେ ଯେ ମାଛଚାଷ କରିବା, କୁକୁଡ଼ା ପାଳିବା, ଗାଈଗୋରୁ ରଖିବାପାଇଁ ଆଉ ଚାଷ ବାସ କରିବାପାଇଁ ସୁବିଧା ହେବ । ଏହା ଖାଲି ତାଙ୍କରି ମିଛ କଳ୍ପନା ନଥିଲା । ଅଳ୍ପ ଦିନ ଭିତରେ ଏହି ଚିନ୍ତା ହେଲା ତାଙ୍କର ବାସ୍ତବ ସତ୍ୟ । ଅବଶ୍ୟ ସେ ଏ ସବୁ କାମରେ ସମାନ ଭାବରେ ସଫଳତା ଲାଭ କରିନଥିଲେ ।

 

ସେ ସନ୍ତସନ୍ତିଆ ଖାଲ ଜାଗାରେ ତିନୋଟି ପୋଖରୀ ଖୋଳାଇ ଥିଲେ । ଏହି ପୋଖରୀରେ ମାଛ ଚାଷ ହେଲା । ଏହା ହେଲା ତାଙ୍କ ରୋଜଗାରର ପହିଲି ଉପାୟ । ସେ ପ୍ରାୟ ଆଠହଜାର କିଲୋଗ୍ରାମ ମାଛ ବିକିଥାନ୍ତି । ସବୁ ଖର୍ଚ୍ଚ ଯାଇ ସେ ଦଶହଜାର ଟଙ୍କା ନେଟ୍‌ ଆୟ କରନ୍ତି । ୧୯୬୨ରେ ସେ ୩୦ଟି ଗାଈ ରଖିଥିଲେ । ସେଥିରୁ ୧୯ଟି ହେଲେ ଦୁହାଁଳିଆ ଗାଈ । ତାଙ୍କର ଗାଈ ରଖିବାରେ ଆଗରୁ ଭଲ ଅଭିଜ୍ଞତା ଥିଲା । ସେ ଜାଣିଛନ୍ତି ଯେ ଅନ୍ୟ ରାଜ୍ୟରୁ ଭଲ ଦୁଧ ଦେଉଥିବା ଗାଈଗୁଡ଼ିଏ କିଣି କିଛି ଲାଭ ହୁଏ ନାହିଁ । ଫଳରେ ସେମାନେ ଝଡ଼ିଯା’ନ୍ତି ଆଉ କ୍ଷୀର ଛାଡ଼ି ଦିଅନ୍ତି । ଶେଷରେ ସେମାନଙ୍କୁ କଂସେଇକୁ ବିକିବା ସାର ହୁଏ ।

 

Image

 

କେଣୁ କ’ଣ କଲେ ଭଲ ହେବ ପଚାରିଲେ ସେ କହନ୍ତି–ମୋର ଦୃଢ଼ ଧାରଣା ଯେ ଯଦି କେହି ଭଲ ଗୋରୁ ଗାଈ ରଖି ଲାଭବାନହେବାକୁ ଇଚ୍ଛାକରିବ, ସେ ଅନ୍ୟ ଭଲ ଜାତିଆ ଦେଶୀ ଗାଈ କିଛି ରଖିବେ । ସରକାରୀ ଗାଈ ଫାର୍ମରୁ କେତୋଟି ଜାତିଆ ଦେଶୀ ଗାଈ ବା ଛଡ଼ା କିଣିଲେ ଭଲ । ସେମାନେ ବଢ଼ିଗଲେ ହରିଆନା ଷଣ୍ଢ ଲଗାଇ କିମ୍ୱା ଇଞ୍ଜେକ୍‌ସନଦେଇ ସେମାନଙ୍କଠାରୁ ଭଲ ବାଛୁରୀ ମିଳି ପାରିବ । ସେମାନଙ୍କୁ ନେଇ ଭଲ ଖୁଆଡ଼େ ଗାଈ କରିହେବ । ସେମାନଙ୍କଠାରୁ ବହୁତ କ୍ଷୀର ମଧ୍ୟ ମିଳିବ । ଏ ଭଳି ଦୋମିଶା ଗାଈ ଦିନକୁ ପ୍ରାୟ ୨୦।୩୦ ଲିଟର କ୍ଷୀର ଦେବେ-। ଯତୀନ୍ଦ୍ରନାଥ ହିସାବକରି ଦେଖିଛନ୍ତି ଯେ ଦଶମାସ ଧରି କ୍ଷୀର ଦେଲେ ଗୋଟିଏ ଗାଈଠାରୁ ପ୍ରାୟ ତିନିହଜାର ଟଙ୍କା ମିଳିବ । ଗାଈଗୁଡ଼ିକର ଭଲ ଯତ୍ନ ନେଲେ ସେମାନଙ୍କୁ ଉପଯୁକ୍ତ ଭାବରେ ଖାଦ୍ୟ ପାନୀୟ ଯୋଗାଇଲେ ସ୍ୱାସ୍ଥ୍ୟକର ସ୍ଥାନରେ ରଖିଲେ ଆଉ ବେମାରରେ ପଡ଼ିଲେ ସେମାନଙ୍କର ଚିକିତ୍ସା କଲେ ଆମେ ନିଶ୍ଚୟ ଲାଭବାନହେବା । ମୁଁ ଏଇପରି ୧୦୦ଟି ଜାତିଆ ଗାଈ ରଖିବାକୁ ପ୍ରସ୍ତାବ କରିଛି ।

 

ଯତୀନ୍ଦ୍ରନାଥ ଜଣେ ପ୍ରକୃତ ଚାଷୀ । ଜମିକୁ ଚାହିଁ ସେ ଯାହା ଚାଷ କରିବା ଠିକ୍‌ ତାହା କରିଥାନ୍ତି । ପ୍ରଥମେ ସେ ତାଙ୍କ ଗୋରୁଙ୍କ ଖାଦ୍ୟପାଇଁ ଯାହା ଦରକାର ତାହା କରୁଥିଲେ । ଏବେ ସେ ଧାନ, ଗହମ, ପନିପରିବା ଆଦି ଫସଲ କଲେଣି । ଜାପାନୀ ପ୍ରଣାଳୀରେ ଧନଚାଷଠାରୁ ଆରମ୍ଭକରି ଆଜିକାଲିକା ତାଇଚୁଙ୍ଗ ଧାନ ଚାଷ ଯାଏ ସବୁରକମ କରନ୍ତି । ଯେତେ ପ୍ରକାର ସାର ଅଛି ସେ ନିଜ କ୍ଷେତରେ ପ୍ରୟୋଗ କରନ୍ତି । ତାଙ୍କର ନିଜର ମଞ୍ଜି ବୁଣିବା, କୀଟାଣୁନାଶକ ଔଷଧ ବିଞ୍ଚିବା, ହଳ କରିବା ପ୍ରଭୃତି ପ୍ରାୟ ପ୍ରତ୍ୟେକ କାମପାଇଁ ଯନ୍ତ୍ରପାତି, କଳସବୁ ରଖିଛନ୍ତି । ତାଙ୍କ କ୍ଷେତରେ ସେ ଏଗାର ପ୍ରକାର ନୂଆ ଢଙ୍ଗରେ ଚାଷ କରିବାର ପରୀକ୍ଷା ଓ ପ୍ରୟୋଗ କରିଛନ୍ତି ।

 

ଯତୀନ୍ଦ୍ରନାଥ କହନ୍ତି ଯେ, ସରକାର ଛୋଟ ଛୋଟ ଚାଷୀମାନଙ୍କୁ ଏସବୁ ପ୍ରକାର ଜିନିଷ ଶସ୍ତା ଓ ସୁବିଧାରେ ଯୋଗେଇ ଦେବା ଦରକାର । ତା’ ସଙ୍ଗେ ସଙ୍ଗେ ସେମାନଙ୍କୁ ଏଥିପାଇଁ ଆର୍ଥିକ ସାହାଯ୍ୟ ଓ ଋଣ ଦେବା ଉଚିତ । ବର୍ତ୍ତମାନ ଏହା ଯେପରି ହେଉଛି ତାହା ସନ୍ତୋଷଜନକ ନୁହେଁ । ମରୁଭୂମିରେ ବର୍ଷା ହେଲେ ଯେମିତି ତା’ର କିଛି ମୂଲ୍ୟ ରହେ ନାହିଁ, ସେମିତି ଏହା ହେଉଛି-। ସେଥିପାଇଁ ଚାଷୀର ପ୍ରକୃତ ଆବଶ୍ୟକତା ଓ କାର୍ଯ୍ୟ ଦକ୍ଷତା ଦେଖି ସରକାର ଏ ସବୁ ସାହାଯ୍ୟ ଋଣ ଆଦି ଦେବା ଉଚିତ । ଯତୀନ୍ଦ୍ରନାଥ ସେଇ ଅଞ୍ଚଳରେ ଜଣେ ସଂପ୍ରସାରଣ କର୍ମୀ ଭାବରେ ସମସ୍ତଙ୍କୁ ସାହାଯ୍ୟ ଓ ପରାମର୍ଶ ଦିଅନ୍ତି । ଏ ଦିଗରେ ତେଣୁ ତାଙ୍କର ଅନୁଭୂତି ଅଛି ଆଉ ଆନ୍ତରିକତା ଅଛି । ବର୍ତ୍ତମାନ ଦେଶର ଖାଦ୍ୟ ଅଭାବ ଦୂର କରିବାପାଇଁ ତାଙ୍କ ବ୍ୟାକୁଳତାର ସୀମା ନାହିଁ । ସେ କହନ୍ତି, ଦେଶର ଶିକ୍ଷିତ ଯୁବକମାନଙ୍କୁ ଚାଷ ପ୍ରତି ଆକୃଷ୍ଟ ନକଲେ ଚଳିବ ନାହିଁ-। ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଓ ଉତ୍ସାହଦେଇ ସରକାର ଯେତେଶୀଘ୍ର ଜାତିର ଯୁବକମାନଙ୍କୁ ବୈଜ୍ଞାନିକ ପ୍ରଣାଳୀରେ ଚାଷ କରିବାରେ ଅଭ୍ୟସ୍ତ ଓ ଆଗ୍ରହୀ ନକରିଛନ୍ତି, ସେପର୍ଯ୍ୟନ୍ତ ଦେଶର ମୁକ୍ତି ନାହିଁ କି ଶାନ୍ତି ନାହିଁ । ଏହା କେଡ଼େ ନିରାଟ ସତକଥା !

 

Image

 

ଉଚ୍ଚ ଶିକ୍ଷିତ ହୋଇ ସେ କେବଳ ନିଜେ ମାଟିର ମଣିଷ ହୋଇନାହାନ୍ତି ନିଜର ପିଲାମାନଙ୍କୁ ମଧ୍ୟ ସେମିତି ଗଢ଼ି ପାରିଛନ୍ତି । ତାଙ୍କର ଚାରୋଟି ପୁଅଙ୍କ ମଧ୍ୟରୁ ବଡ଼ ଜଣକ ପଶୁବିଜ୍ଞାନରେ ବି.ଏ. ପାସ୍‌କରି କଲିକତାରେ ଗୋଟିଏ ମ୍ୟୁନିସିପାଲଟିରେ କାମ କରନ୍ତି । ଦ୍ୱିତୀୟ ପୁଅ ବିଜ୍ଞାନରେ ବି.ଏ.ପାସ୍‌କରି ନିଜର ଚାଷ କାମ ଦେଖନ୍ତି । ତୃତୀୟ ପୁଅ ଗୋରୁମାନଙ୍କ ଲାଳନ ପାଳନ ସମ୍ପର୍କରେ ଉଚ୍ଚଶିକ୍ଷା ଲାଭକରି ଭଲ ସରକାରୀ ଚାକିରୀଟିଏ କରିଥିଲେ । ମାତ୍ର ଆଧୁନିକ ବୈଜ୍ଞାନିକ ରୀତିରେ ନିଜର ଗୋଶାଳାକୁ ଉନ୍ନତକରି ଗଢ଼ିବାପାଇଁ ସେ ସେଇ ଚାକିରିରୁ ଇସ୍ତଫା ଦେଲେ । ଏଇ ପୁଅ ମନପ୍ରାଣଦେଇ ଗୋ-ଶାଳାର ଉନ୍ନତିରେ ଲାଗି ପଡ଼ିଛନ୍ତି । ଚତୁର୍ଥ ପୁଅ ବର୍ତ୍ତମାନ ମାଟ୍ରିକ୍‌ ଛାତ୍ର । ତା’ର ରୁଚି ଅନୁସାରେ ସେ କୃଷି, ପଶୁବିଜ୍ଞାନ, କିମ୍ୱା ଗୋ-ଶାଳାର ପରିଚାଳନା ମଧ୍ୟରୁ ଯେଉଁଥିରେ ବି.ଏ. ପାସ୍‌କରି ନିଜର କ୍ଷେତ ବାଡ଼ିର ଦାୟିତ୍ୱରେ ରହିବ ।

 

ଯତୀନ୍ଦ୍ରନାଥ ତାଙ୍କ ଗୋଶାଳାର ଉନ୍ନତିପାଇଁ ସରକାରଙ୍କଠାରୁ ଦଶହଜାର ଟଙ୍କାର ଋଣ ପାଇଛନ୍ତି । ଯଦିଓ ତାଙ୍କର ଆବଶ୍ୟକତାକୁ ଚାହିଁ ଏହା ଅତି କମ୍‌, ତେବେ ସୁଦ୍ଧା ଏହି ଋଣ ତାଙ୍କୁ ଭାରି ସାହାଯ୍ୟ କରିଥିଲା । ସେ ଶୀଘ୍ର ଗୋ-ଶାଳାଟିକୁ ବଢ଼ାଇ ଦେବାକୁ ମନ କରିଛନ୍ତି । ଏଥିପାଇଁ ୨୫ ହଜାର ଟଙ୍କାର ଛଡ଼ା (ମାଈ ବାଛୁରୀ) କିଣି ସାରିଲେଣି । ସେମାନଙ୍କ ପାଇଁ ପୁଣି ଘରଦ୍ୱାର, ଖାଦ୍ୟ ପାନୀୟର ସୁବିଧା କରିବାକୁ ତ ପଡ଼ିବ ? ସେଥିରେ ସେ ନିଜର ସୁବିଧା କ’ଣ ଦେଖିବେ ?

 

ଆମ ଦେଶ ଆଜି ଏମିତି କର୍ମବୀରମାନଙ୍କୁ ଦରକାର କରୁଛି । ଯେତେ ଏଠାରେ ସ୍ୱାଧୀନ ଆଉ କୁଶଳ କୃଷକ ଓ ଗୋରକ୍ଷକ ବାହାରିବେ, ଆମ ଅବସ୍ଥା ସେତେ ସ୍ୱଚ୍ଛଳ ଓ ଭଲହେବ-। ବେଶୀ ପାଠପଢ଼ି ଏମିତି ବେଉସା କରିପାରିଲେ କେଡ଼େ ମଜା ସତେ !

Image

 

ହାତ ଚଳିଲେ ଭାତ

 

ଦିଲ୍ଲୀର ଜଣେ ବିଖ୍ୟାତ ସାହିତ୍ୟିକ । ତାଙ୍କର ନାମ ଖୁସ୍‌ବନ୍ତ ସିଂହ । ଥରେ ସେ ଗୋଟିଏ ବିଦେଶୀ ପତ୍ରିକାର ସଂପାଦକଙ୍କଠାରୁ ଲେଖାଟିଏ ପଠାଇବାକୁ ଜରୁରୀ ଅନୁରୋଧ ପାଇଲେ । ଲେଖାଟି ପୁଣି ହେବ ମରୁଡ଼ି-ପୀଡ଼ିତ ଗୋଟିଏ ଦୁଇଟି ଭାରତୀୟ ଗ୍ରାମର ଚିତ୍ର ।

 

ସେ ତେଣୁ ମାଇଲିଏ ପାଖାପାଖି ଦୁଇଟି ଗାଁ ଏଥିପାଇଁ ବାଛିଲେ । ଦୁଇ ଗାଁର ଭୂଇଁ ଏକପ୍ରକାର ଆଉ ଉଭୟ ଗାଁରେ କୂଅ ସାହାଯ୍ୟରେ ଜଳସେଚନର ସୁବିଧା ଅଛି ।

 

ଶୀତଦିନ । ସେ ପ୍ରଥମେ ବଡ଼ିଭୋରରୁ ଗୋଟିଏ ଗାଁ ଭିତରକୁ ପଶିଲେ । ଗାଁ ମୁଣ୍ଡରେ ଚା’ଖଟି । କେତେକ ଚାଷୀ ଚୂଳିର ଆଞ୍ଚ ପାଖରେ ବସି ନିଆଁ ପୋଉଁଥିଲେ । ଖୁସ୍‌ବନ୍ତ ସିଂହ ସେମାନଙ୍କୁ ଶୁଭେଚ୍ଚ୍ଥା ଜଣାଇ ‘‘କ’ଣ ହାଲଚାଲ’’ବୋଲି ପଚାରିଲେ ?

 

ଜଣେ ଚାଷୀ ଉତ୍ତର ଦେଲେ–ଏମିତି ଖରାପ ବେଳା ଆଉ କେବେ ପଡ଼ିନଥିଲା । ମାସ ମାସ ଧରି ଟୋପାଏ ବି ପାଣି ପଡ଼ିଲା ନାହିଁ । ଆମର ଜଅ ବାଜରା ଆଉ ସୋରିଷର କ୍ଷେତ ସବୁ ଉଜୁଡ଼ି ଗଲା । ଅଧେ କ୍ଷେତ ତ ଶୁଖି ଡାଙ୍ଗ ହୋଇଗଲାଣି । ଆମେ ତ ଏବର୍ଷ ମୁଗ ଗଣ୍ଡେ ପୁଣି ପାଇଲୁ ନାହିଁ ।

 

ଲେଖକ ସେମାନଙ୍କୁ ପଚାରିଲେ–କାହିଁକି, ନଳକୂଅ ସବୁ ଅଛି ପରା ?

 

ଜଣେ ଲୋକ ଉତ୍ତର ଦେଲେ–ଆମର ବେଶୀ ନଳକୂଅ ନାହିଁ ।

 

Image

 

ଲେଖକ ପଚାରିଲେ–ତେବେ କାହିଁକି ଆଉ କେତୋଟି ନଳକୂଅ ବସାଉ ନାହିଁ ?

 

ଗ୍ରାମର ଲୋକଙ୍କ ମଧ୍ୟରୁ ଜଣେ କହିଲେ–କାହିଁକି ? ସରକାରଙ୍କୁ ପଚାରୁନ, ସେ ତା’ର ଉତ୍ତର ଦେବେ । ଆମକୁ ତ ଜମା କିଛି ମିଳୁ ନାହିଁ ।

 

ତା’ପରେ ଲୋକେ ସରକାରଙ୍କ ବିରୁଦ୍ଧରେ ବିଷୋଦ୍‌ଗାର କଳେ । ଅସୁମାରି ଅଭାବ ଅଭିଯୋଗ ବାଢ଼ିବାରେ ଲାଗିଲେ ।

 

ଖୁସ୍‌ବନ୍ତ ସିଂହ କହିଲେ–ଆପଣମାନେ ତ ଭଲ ସାର, ବିହନ ଆଉ କୀଟନାଶକ ଔଷଧ ଆଦି ପାଉଥିବେ ?

 

କିନ୍ତୁ ସେମାନେ ତାଙ୍କର ସବୁ ପ୍ରଶ୍ନର ଉତ୍ତର ସେଇ ଦୁଇ ତିନି ପଦରେ ଦେଇପକାଇଲେ–‘‘ବାବୁ, ଖାଲି ସବୁ କାଗଜ କାରବାର, ଫାଇଲ ଚାଷରେ ସବୁ ହୋଇଛି ।’’ ବଡ଼ ରୋକଠୋକ ଭାବରେ ସେମାନେ ବତାଇଦେଲେ । ସେମାନଙ୍କୁ ମଧ୍ୟ ଲେଖକ ଯେତେବେଳେ ପଞ୍ଚାୟତ, ବିଦ୍ୟାଳୟ ଆଉ ସହଯୋଗୀ ଅନୁଷ୍ଠାନ ଜରିଆରେ ସେମାନଙ୍କର ଚେଷ୍ଟା କିପରି ଚାଲିଛି ପଚାରିଲେ, ସେମାନେ ସେମିତି ସେଇ ଦୁଇପଦିଆ ଉତ୍ତର ଦେଲେ–‘‘କାଗଜ କାରବାର ।’’

 

ତା’ପରେ ଲେଖକ ଚା’ଖଟି ଛାଡ଼ି ଗାଁ ଭିତରକୁ ଚାଲିଲେ । ଗାଁର କଚା ରାସ୍ତାର ଧୂଳି ଆଉ ଖୋଲା ନାଳର ପଚା ଗନ୍ଧ ତାଙ୍କୁ ବଡ଼ ଅତିଷ୍ଠ କଲା । ପ୍ରକୃତରେ ତାଙ୍କୁ ଏମିତି ଲାଗିଲା ଯେ ଯଦି ସେ ଗାଁରେ ପଞ୍ଚାୟତ ଥିବ, ତେବେ ତାହା ନାମକୁ ମାତ୍ର କେବଳ କାଗଜପତ୍ରରେ ହିଁ ରହିଥିବ-

 

କ୍ଷେତବାଡ଼ି ସବୁ ସେମିତି ଅବହେଳା ଅସନ୍ତୋଷର ସୂଚନା ଦେଉଥିଲା । ଟାଙ୍ଗର ଭୂଇଁରେ ଠିଆ ଫସଲ କେଉଁଠି ଝାଉଁଳି ପଡ଼ିଥିଲା ତ, କେଉଁଠି ଶୁଖି ଝାଟି ପରି ରହିଥିଲା ।

 

Image

 

ଅଳ୍ପସମୟ ପରେ ସେ ଆର ଗାଁଟିକୁ ଗଲେ । ଜଣେ ଲୋକ ଠିକ୍‌ ସେତିକିବେଳେ ଟ୍ରାକ୍‌ଟରଟିଏ ଚଳାଇ ଗାଁ ଭିତରକୁ ଚାଲି ଯାଉଥିଲେ । ସେ ହେଉଛନ୍ତି ସେଇ ଗାଁର ସରପଞ୍ଚ । ଲେଖକଙ୍କୁ ଦେଖି ସେ ଟିକିଏ ବ୍ୟତିବ୍ୟସ୍ତ ହୋଇପଡ଼ିଲେ । ସେ ତରତର ହୋଇଯାଉଥିବାର ଜଣାପଡ଼ୁଥିଲା । ସେ ଟ୍ରାକ୍‌ଟରକୁ ବନ୍ଦକରିଦେଇ କହିଲେ–‘‘ମୋର ଆଜି ବହୁତ ବିଳମ୍ୱ ହୋଇଗଲା । ହଳ କରିବାକୁ ଏବେ ଯାଉଥିଲି !’’

 

ଲେଖକ କ୍ଷମା ମାଗିନେଇ ତାଙ୍କର ଆସିବା ଉଦ୍ଦେଶ୍ୟ କହିଲେ ।

 

ସରପଞ୍ଚ ଖୁବ୍‌ ଜୋରଦେଇ କହିଲେ–ମରୁଡ଼ି କଥାଟା ମନଗଢ଼ା, ଭାରି ଅତିରଞ୍ଜିତ ହୋଇ ବାହାରେ ପ୍ରଚାରିତ ହେଉଛି । କିନ୍ତୁ ଯେତେ ଦୂର ସମ୍ଭବ ଆମେ ଏବର୍ଷ ଗଲାବର୍ଷଠାରୁ ଅଧିକ ଫସଲ ଫଳାଇ ପାରିବୁ । ଏ ଆଶା ଆମର ରହିଚି ।

 

ଲେଖକ ବଡ଼ ବିସ୍ମିତ ହେଲେ । କଥାଟା କ’ଣ ଜାଣିବାକୁ ସେ ଭାରି ଉଦ୍‌ଗ୍ରୀବ ହୋଇପଡ଼ିଲେ । ସେ ନମ୍ର ସ୍ୱରରେ ପଚାରିଲେ ଆପଣ ଦୟାକରି ଯାହା କହିଲେ ତା’ର କାରଣ ଟିକିଏ ବୁଝାଇ ଦେବେକି ?

 

ସରପଞ୍ଚ ଉତ୍ତର ଦେଲେ–କାରଣଟା ଅତି ସହଜ, ଅତି ଜଣାଶୁଣା । ମୁଁ ଆଉ ଆପଣଙ୍କୁ ବୁଝାଇବି କ’ଣ ? ବର୍ଷା ହେଲା ନାହିଁ । ତେଣୁ ଆମେ ଚାଷ କରିବାକୁ ଅଧିକ ସମୟ ପାଇଲୁ । ଆମର ପାଞ୍ଚଶହ ପ୍ରାଣୀ ଥିବା ଏଇ ଗାଁରେ ଯେତେ ନଳକୂଅ ଅଛି ସେଗୁଡ଼ିକର ଚାରିପଟକୁ ଲାଗି ସବୁ ଜମ ଆମେ ଭଲ ଭାବରେ ବିଚାରି ଓଡ଼କରି ହଳ କରିଦେଲୁ । ଆମର ଏଠି ଚବିଶଟି ନଳକୂଅ ଅଛି । ଆମେ ତ ଭଲ ବିହନ ବୁଣିଲୁ । ମୁଁ ତ ମେକ୍‌ସିକୋର ଗୋଟିଏ ଜାତିଆ ଗହମ ବିହନ ଆଣି ବୁଣିଚି । ଆଶାକରୁଚି ଏହା ଭାରତୀୟ ଗହମର ତିନିଗୁଣ ଫଳ ଫଳିବ । ଅଧିକ ସାର ତ ଦିଆଯାଇଛି । ଦଶବର୍ଷ ତଳେ ମୋର ଯେଉଁ ଜମିରୁ ଏକର ପିଛା ୨୫ ମହଣ ଗହମ ମିଳୁଥିଲା, ସେଠାରେ ଗଲାବର୍ଷ ଏକର ପିଛା ୩୫ ମହଣ ଗହମ ଫଳିଥିଲା । ଯଦି ଭଗବାନ୍‌ କରନ୍ତି, ହୁଏତ ଏବର୍ଷ ମରୁଡ଼ି ସତ୍ତ୍ୱେ ମୁଁ ଏକର ପିଛା ୪୦ ମହଣରୁ ଅଧିକ ଗହମ ସେ ଜମିରୁ ଆଶା କରୁଛି ।

 

ନିଜର ଶକ୍ତିସାମର୍ଥ୍ୟ ଉପରେ ମନୁଷ୍ୟର କେଡ଼େ ବିଶ୍ୱାସ ଆଉ ଆସ୍ଥା ! ଏତେ ଅସୁବିଧା ଆଉ ବାଧାବିଘ୍ନ ଭିତରେ ତା’ର କେଡ଼େ ଦୃଢ଼ତା ଆଉ ସାହସ ! ସରପଞ୍ଚଙ୍କର ଆତ୍ମ ବିଶ୍ୱାସ ଆଉ ଦୃଢ଼ତା ଦେଖି ଲେଖକଙ୍କର ମନରେ ଆନନ୍ଦ ଓ ଉତ୍ସାହ ବହୁଗୁଣିତ ହୋଇଗଲା । ସରପଞ୍ଚ ମୁହଁରେ ଆସ୍ଥା ଓ ଆଶାର ଆଲୁଅ ଖେଳାଇଦେଇ କହିଲେ–ଆମର ହେଲା ଚାଷର ଦେଶ । ଆମେ ଅନ୍ୟ ଦେଶକୁ ଗହମ ବିକିବା କଥା । କିନ୍ତୁ ଆମେ ଓଲଟି ଅନ୍ୟ ଦେଶରୁ ଏହା ଭିକମାଗି ପେଟ ପୋଷୁଚୁ-। କେଡ଼େ ଲଜ୍ଜା ଓ ଦୁଃଖର କଥା ! ଯଦି ଈଶ୍ୱର ଚାହିଁବେ ଆମେ ଶୀଘ୍ର ଆମର କର୍ତ୍ତବ୍ୟ କରିପାରିବା ।

 

ଏଇ ଛୋଟ ଗାଁ’ଟିକୁ ଆଗର ବଡ଼ ଗାଁ ସହିତ ତୁଳନା କଲେ କେତେ ତଫାତ୍‌! ! ଆଶା ଆଉ ନିରାଶା, ନିଜ ଗୋଡ଼ରେ ଠିଆହେବା ଆଉ ଉପରକୁ ଚାହିଁ ରହିବା ଭିତରେ କେତେ ଆକାଶ ପାତାଳ ପାର୍ଥକ୍ୟ ସତେ !

 

ଏ ଛୋଟ ଗାଁର ସବୁ ଘରଗୁଡ଼ିକ ପକ୍‌କା ବା ଇଟାରେ ତିଆରି । ସବୁ ଘରକୁ ବିଜୁଳି ଆଲୁଅ ନିଆଯାଇଛି । ଆଠଟି ଘରେ ରେଡ଼ିଓ ବାଜୁଚି । ପୁଣି ଗାଁ ମଝିରେ ଗୋଟିଏ ସାଧାରଣ ରେଡ଼ିଓ ଲଗାଯାଇଛି ! ପ୍ରତି ଘର ଆଗରେ ପାଣି ଉଠାଇବା ଆଉ ମଡ଼ାଇବାପାଇଁ ଗୋଟିଏ ଗୋଟିଏ ଯନ୍ତ୍ରଲାଗିଛି । ଗାଁ ସାରା କେଉଁଠି ହେଲେ ଖୋଲା ନାଳଟିଏ ନାହିଁ । କି ଟିକିଏ ଖରାପ ଗନ୍ଧ ନାକରେ ବାଜିବ ନାହିଁ । ଗାଁର ସବୁପିଲା କି ଝିଅ କି ପୁଅ, କି ହରିଜନ କି ଉଚ୍ଚଜାତିର ହେଉ ସ୍କୁଲ୍‌କୁ ଯାଉଛନ୍ତି । ଲେଖକ ପୁଣି ଶୁଣି ଆଶ୍ଚର୍ଯ୍ୟ ହେଲେ ଯେ ଦୁଇ ଗାଁର ଲୋକଙ୍କ ଜମିବାଡ଼ି ପ୍ରାୟ ସମାନ ! ତେବେ ଦୁହିଁଙ୍କ ଭିତରେ ଏତେ ବିରାଟ ପାର୍ଥକ୍ୟ କାହିଁକି ?

 

ସରପଞ୍ଚ ଟ୍ରାକ୍‌ଟରରେ ପୁଣି ଥରେ ଷ୍ଟାଟ୍‌ଦେଇ କହିଲେ–ସର୍ଦ୍ଦାରଜୀ, ଆମେ ଯଦି ଆମର ଗଦି ଉପରେ ଦିନସାରା ବସିରହି ସରକାରଙ୍କଠାରୁ ସବୁକିଛି ପାଇଯିବାବୋଲି ଆଶା କରିବା, ଆଉ ନପାଇଲେ ଖାଲି ଗୁଣୁ ଗୁଣୁ ହେବା, ତେବେ ଆମକୁ ଯାହା ମିଳିବ ଆମେ ଭୋଗ କରିବା । ଭଗବାନ୍‌ ବି କାହିଁକି ସାହା ହେବେ ? ସବୁଠୁଁ ସରଳ କଥା ହେଲା, ନିଜ ହାତରେ ସବୁକର । ନିଜ ଗୋଡ଼ରେ ଠିଆହୁଅ । ତେବେ ସବୁ ଠିକ୍‌ ହୋଇଯିବ । ହାତ ଚଳିଲେ ଭାତ ଅଭାବ ହେବନାହିଁ–ଏହା ହେଲା ସାର କଥା ।

 

ଖୁସ୍‌ବନ୍ତ ସିଂହ ଏହି ତାତ୍ପର୍ଯ୍ୟପୂର୍ଣ୍ଣ କଥାତକ ଶୁଣି ଅତିଶୟ ଆନନ୍ଦିତ ହୋଇପଡ଼ିଲେ ।

 

ତାଙ୍କୁ ବିଦାୟ ନମସ୍କାର ଜଣାଇ ସରପଞ୍ଚ ଯେତେବେଳେ ତାଙ୍କ କ୍ଷେତକୁ ଟ୍ରାକ୍‌ଟର ଚଳାଇନେଲେ ପଛରୁ ଡିଜେଲ ଧୂଆଁର କଳାମେଘ ଖଣ୍ଡି ମାଡ଼ିଆସିଲା । ସେତେବେଳେ ଲେଖକ ଭବିଷ୍ୟତର ଉଜ୍ଜ୍ୱଳ ଆଶାମୟ ଭାବନାରେ ବୁଡ଼ିଯାଉଥିଲେ । ଡିଜେଲ ଗନ୍ଧ ନାକରେ ବାଜିବାରୁ ସେ ଅନୁଭବ କଲେ ସ୍ୱର୍ଗର ପାରିଜାତ ଫୁଲଠାରୁ ତାହା ଯେମିତି ଅଧିକ ମଧୁର, ଅଧିକ ସୁନ୍ଦର; ଆଉ ଅଧିକ ମନୋହର ! *

 

* ‘‘କୁରୁକ୍ଷେତ୍ର’’ର ଫେବୃୟାରୀ ୧୯୬୬ ସଂଖ୍ୟାରେ ପ୍ରକାଶିତ ଶ୍ରୀ ଖୁସ୍‌ବନ୍ତ ସିଂହଙ୍କ Two Villages, Story of Contrasts ଲେଖାଟିର ଛାୟାରେ ଲିଖିତ । –ଲେଖକ

Image

 

ଭଲ ଚାଷକରି ଆଦର୍ଶ ସବୁରି

 

କେରଳର ଜଣେ ଚାଷୀ । ତାଙ୍କର ନାମ ମାଧବନ୍‌ ନାୟାର । ଓଟାପାଲମ୍‌ଠାରେ ତାଙ୍କର ଘର । ସେଇଠି ତାଙ୍କର କ୍ଷେତ । ସେ ଆଜି ଯେତେ ଫସଲ ଫଳାଇ ପାରୁଛନ୍ତି ଆଉ ନୂଆ ନୂଆ ଢଙ୍ଗରେ ଚାଷ, ଜଳସେଚନ କରିବାର ଯେଉଁ ବୁଦ୍ଧି କୌଶଳ ଦେଖାଇଛନ୍ତି, ସେଥିପାଇଁ ତାଙ୍କୁ ଦେଶର ଜଣେ ଶ୍ରେଷ୍ଠ ଚାଷୀବୋଲି କୁହାଯାଉଛି ।

 

ମାଧବନ୍‌ ନାୟାରଙ୍କର ଅଠର ଏକର ଧାନ ଜମି । ସେଥିରେ ଭଲ ଧାନ ବିହନ ବୁଣି ଆଉ ଭଲ ଭାବରେ ଚାଷକରି ସେ ଏକର ପିଛା ୩ ହଜାରରୁ ୪ ହଜାର କିଲୋଗ୍ରାମ ଧାନ ଫଳାଉଛନ୍ତି । ଆସନ୍ତାବର୍ଷ ଏକର ପିଛା ସାତହଜାର କିଲୋଗ୍ରାମ ଧାନ ଆଦାୟ କରିବାକୁ ଚେଷ୍ଟା ଚାଲିଛି । କିନ୍ତୁ ତାଙ୍କର ଆଶା ଆହୁରି ଉଚ୍ଚରେ । ସ୍ୱପ୍ନ ତାଙ୍କର ଖୁବ୍‌ ଦୂରରେ । ଅଳ୍ପ କେତୋଟି ବର୍ଷରେ ସେ ଏକରକୁ ପ୍ରାୟ ୨୦ ହଜାର କିଲୋଗ୍ରାମ ଧାନ ଅମଳ କରିପାରିବେବୋଲି ଭାବିଛନ୍ତି-

 

କେରଳରେ ମାଧବନ୍‌ ଜଣେ ଧନୀଲୋକ । ଜଣେ ବଡ଼ ଶିଳ୍ପପତି ମଧ୍ୟ । ସେ ସ ତାଙ୍କର ଭାଇମାନେ ଗୋଟିଏ ଦିଆସିଲି କାରଖାନାର ମାଲିକ । ମାଧବନ୍‌ଙ୍କର ପୁଣି ୩୦୦ ଏକର ରବର ବଗିଚା ରହିଛି । ତେବେ ଭଲ ଭାବରେ ଚାଷକାମ କରିବାକୁ ତାଙ୍କର ଭାରି ମନ । ଭାରତ ପରି ସୁନାର ଦେଶରେ ଆଜି ଶସ୍ୟର ଅଭାବ । ସେ ସହିପାରିବେ ନାହିଁ । ଏଇ ଅଭାବ ଦୂର କରିବାକୁ ସେ ନିଜର କମର ଭିଡ଼ିଲେ ।

Image

ଚାରିପାଞ୍ଚବର୍ଷ ତଳର କଥା । ଏବେ ସେ ଯେଉଁଠି କ୍ଷେତ କରୁଛନ୍ତି, ସେ ଜମି ୧୯୫୨ ମସିହାରେ କିଣା ଯାଇଥିଲା । ବର୍ଷ ପରେ ବର୍ଷ ବିତିଲା । ସେ ସେଠାରେ କ’ଣ କରିବେ ଠିକ୍‌କରି ପାରିଲେ ନାହିଁ । ଦଶବର୍ଷ ପରେ ୧୯୬୨ ମସିହାରେ ସେ ସେଠାରେ ଧାନ ଫସଲ କରିବାକୁ ଭାବିଲେ । ଚାଷର ‘ଚ’ କାମ ତାଙ୍କୁ ଅଜଣା । ସେ ଅବଶ୍ୟ ମାଟ୍ରିକ ପାସ୍‌ କରିଥିଲେ; ଆଉ ନିଜ ଗୋଡ଼ରେ ନିଜେ ଠିଆ ହେବାର ମନବଳ ତାଙ୍କର ଥିଲା । ଚାଷ କାମରେ ତାଙ୍କୁ ସବୁମତେ ସାହାଯ୍ୟ କରିବାକୁ ଜଣେ ଲୋକଙ୍କୁ ନିଯୁକ୍ତିକଲେ । ସେ ଯେତେବେଳେ ଯେମିତି ଭାବରେ ଚାଷ କାମ କରୁଥିଲେ, ମାଧବନ୍‌ ସେଥିରେ ହଁ ଭରୁଥିଲେ । ନୂଆ କିଛି ବତାଇବା କି କହିବା ତାଙ୍କ ପକ୍ଷେ ସମ୍ଭବ ନଥିଲା ।
 

ଏଇପରି ଦୁଇବର୍ଷ ଚାଲିଗଲା । ୧୯୬୨ ମସିହାର ପହିଲି ଫସଲ ଆଦୌ ସନ୍ତୋଷଜନକ ହେଲା ନାହିଁ । ଏକର ପିଛା ୭୦୦ କିଲୋଗ୍ରାମ ବି ହେଲା ନାହିଁ । ତା’ ପରବର୍ଷର ଫସଲ ସେମିତି ହେଲା ।

 

ଏହା ପରେ ମାଧବନ୍‌ ଚାଷକାମର ପୂରା ଦାୟିତ୍ୱ ନିଜ ମୁଣ୍ଡ ଉପରକୁ ନେଲେ । ଏଥର ସେ ଆଗରୁ ସବୁ କାମ କରାଇଆସୁଥିବା ଲୋକର ବହୁ କଥାରେ ଆପତ୍ତି କଲେ । ନୂଆ ଢଙ୍ଗରେ ନୂଆ ରୀତିରେ ଚାଷକାମ କରିବାକୁ ବତାଇଲେ । ଭଲ ଫଳ ହେଉଥିବା ଟାଇନାନ୍‌-୩ ନାମକ ଗୋଟିଏ ଜାତିର ବିହନ ବୁଣିଲେ । ସବୁ ସ୍ତରରେ ଚାଷକାମର ଦେଖାଶୁଣା କଲେ । ତାଙ୍କ କଥା ଅନୁସାରେ ସବୁକାମ ଚାଲିଲା ।

 

ଅଳ୍ପଦିନରେ କ୍ଷେତଟିରେ ଶାଗୁଆ ଫସଲର ଲହଡ଼ ଖେଳିଗଲା । କିଆରୀଗୁଡ଼ିକ ସମତୁଲ ଭାବରେ ତିଆରି ହୋଇ ହିଡ଼ବାଡ଼ ହୋଇଗଲା । କ୍ଷେତ ମଝିରେ ସିମେଣ୍ଟ ଗଢ଼ା ପକ୍‌କା ପାଣିନାଳମାନ ହେଲା । ମଝିରେ ମଝିରେ ଶହ ଶହ ପାତ୍ରରେ ନାନା ପ୍ରକାର ମଞ୍ଜି ଳଗାଯାଇ ପରୀକ୍ଷା କରାଯାଉଥିଲା । ପ୍ରତ୍ୟେକ ପାତ୍ର ଆଉ କିଆରୀ ମୁଣ୍ଡରେ ଖଣ୍ଡେ ଖଣ୍ଡେ କାଗଜରେ ବିହନର ନାମ, ବୁଣାଯିବା ତାରିଖ, ପରୀକ୍ଷାର ଅଗ୍ରଗତି, ଚାଷର ଢଙ୍ଗ ଆଦି ସାଧାରଣ ଲୋକଙ୍କ ବୁଝିଲା ଭାଷାରେ ଲେଖାହୋଇଥାଏ । ନାନାଜାତିର ସୁସ୍ଥସବଳ ଧାନଗଛ–ନାଲି, ଶାଗୁଆ, ଖଇରିଆ, ବାଇଗଣିଆ, ନାନାରଙ୍ଗର । କେତେ ରକମର ବାସନା ଧାନ କିଆରୀରୁ ଛୁଟି ଆସୁଥାଏ-। ଦୂରକୁ ଲମ୍ୱିଯାଇଥିବା ଧାନ କ୍ଷେତର ଶାଗୁଆ ରଙ୍ଗ ଆକାଶର ନୀଳିମାରେ ମିଶିଯାଉଥାଏ । ମନପ୍ରାଣ ଆନନ୍ଦରେ ଭରିଯାଏ ଏସବୁ ଦେଖି ।

 

ମାଧବନ୍‌ଙ୍କ ଚାଷକାମରେ ସଫଳତା ଦେଖା ଦେଲା ତିନୋଟି କାରଣରୁ । ପ୍ରଧାନ କାରଣ ହେଲା ତାଙ୍କ କ୍ଷେତରେ ବର୍ଷସାରା ପାଣିର ସୁବିଧା । ତାଙ୍କ କ୍ଷେତ ନିକଟରେ କୌଣସି କେନାଲ ବା ଜଳଭଣ୍ଡାର ନଥିଲା । ସେ ସେଠାରେ ନିଜେ ଗୋଟିଏ ଜଳଭଣ୍ଡାର ତିଆରି କଲେ । ଦ୍ୱିତୀୟ କଥା ହେଲା ଭଲ ବିହନ । କେରଳରେ ମିଳୁଥିବା ସବୁଠୁଁ ଭଲ ଧାନ ବିହନ ସେ ଯୋଗାଡ଼ କରିଥିଲେ । ତୃତୀୟ କଥା ହେଲା ଠକ୍‌ ରୀତିରେ ସାର ଦେବା । କେଉଁ ଜମିରେ କେତେ ସାର ଆଉ ପାଣି ଦେଲେ ଭଲ ହେବ ସେ ପରୀକ୍ଷାକରି ଦେଖନ୍ତି । ନିଜ କ୍ଷେତ ମଧ୍ୟରେ ସବୁଜ ସାର ତିଆରିକରି ଦେବାର ତାଙ୍କର ଭାରି ଝୁଙ୍କ । ସେ ଆଗରୁ ବର୍ଷକ ଭିତରେ ଦୁଇଟି ଫସଲ ଆଦାୟ କରୁଥିଲେ । ଏବେ ଆଉ ଗୋଟିଏ ଫସଲ କରିବାକୁ ସେ ଠିକ୍‌ କଲେଣି । ଏବେ ସେ ହିସାବକରି ଦେଖିଛନ୍ତି ଯେ ଏକର ପିଛା ତାଙ୍କର ଖର୍ଚ୍ଚ ହୁଏ ୫୦୦ ଟଙ୍କା; ଆଉ ସେ ତା’ ବଦଳରେ ପାଆନ୍ତି ୧୦୦୦ ଟଙ୍କା । ଏହା ଛଡ଼ା ପୁଣି ନଡ଼ା ବିକି ସେ କିଛି ଟଙ୍କା ପାଇଥାନ୍ତି ।

 

ମାଧବନ୍‌ଙ୍କ କ୍ଷେତରେ ସବୁଠୁଁ ମଜା କଥା ହେଲା ତାଙ୍କ ଦ୍ୱାରା ତିଆରି ହୋଇଥିବା ମାଟିତଳ ପାଣିଟାଙ୍କି । ଗୋଟିଏ ବଡ଼ କୂଅ ଥିଲା ଯେ ତା’ର ପାଣି ଚାରି ପାଞ୍ଚବର୍ଷ ହେଲାଧରି ଶୁଖି ଯାଉଥିଲା । ସେ ମାଟି ଭିତରେ କାନ୍ଥ ତିଆରି କଲେ । ସେ କାନ୍ଥର ଲମ୍ୱ ୨୫୦ ଫୁଟ, ଆଉ ଉଚ୍ଚତା ୧୦ ଫୁଟ । ଉପର ମାଟି ସ୍ତରଠାରୁ ତଳକୁ ଏକପ୍ରକାର ପଥୁରିଆ ପତ୍ତନ ଉପରେ ଏହା ଗଢ଼ାଯାଇଥିଲା । ତେଣୁ ଅତି ଖରାଦିନେ ମଧ୍ୟ କାନ୍ଥଦ୍ୱାରା ବାଧାପାଇ ଜମିରହିଥିବା ମାଟିଭିତର ପାଣି କୂଅଭିତରକୁ ଝରି ଆସୁଥାଏ । ସେ ବର୍ଷା ଋତୁପରେ ଚଇତ୍ର ମାସରେ ଏହାର ପରୀକ୍ଷା କରିଥିଲେ । ତେବେ କୂଅ ଭିତରକୁ ପାଣିଧାର ବଡ଼ ସନ୍ତୋଷଜନକ । ନିରାଟ ଖରାଦିନେ ଏଇ କୂଅରୁ ପମ୍ପକରି ଯେତେ ପାଣି କ୍ଷେତରେ ମଡ଼ାଇଲେ ବି କୂଅ ଶୁଖେ ନାହିଁ ।

 

ମାଧବନ୍‌ ଏହାକୁ ‘‘ମାଟିତଳ ଜଳଭଣ୍ଡାର’’ବୋଲି କହନ୍ତି । ଏଥିରେ ସେ ପ୍ରାୟ ୧୫ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି । ଏମିତି ଜଳଭଣ୍ଡାରର କେତେକ ସୁବିଧା ଅଛି । କୂଅ ଭିତର ପାଣି ଅଯଥା ବାଷ୍ପ ଆକାରରେ ଉଡ଼ିଯାଏନାହିଁ । କାନ୍ଥିମାନ ଅଳ୍ପ ଉଚ୍ଚ ହୋଇଥିବାରୁ ତା’ ଉପରେ ଜମିକୁ ମଧ୍ୟ ଚାଷ କରିବାରେ ଅସୁବିଧା ହୁଏନାହିଁ । ମାଧବନ୍‌ କହନ୍ତି–ଛୋଟ ଛୋଟ ଚାଷୀମାନେ ଏମିତି କରିପାରିବେ । ଏଥିରେ ଅତି ବେଶୀ ଖର୍ଚ୍ଚ କରିବାକୁ ପଡ଼େନାହିଁ । ସେ ଏଇ କାମରେ କୌଣସି ଇଞ୍ଜିନିୟରଙ୍କ ସହିତ ପରାମର୍ଶ କରିନାହାନ୍ତି । କିନ୍ତୁ ସେ କହନ୍ତି–ବିଶେଷଜ୍ଞମାନଙ୍କଠାରୁ ପରାମର୍ଶ ଓ ସାହାଯ୍ୟ ପାଇଲେ ଆଉ କମ୍‌ଖର୍ଚ୍ଚରେ ମାଟିତଳ ଜଳଭଣ୍ଡାର ତିଆରି ହୋଇପାରିବ; ଆଉ ଅଧିକ ଭଲ ଭାବରେ କାମରେ ଲଗାଯାଇପାରିବ ।

 

ପରେ ମାଧବନ୍‌ ୧୦ ହଜାର ଟଙ୍କା ଖର୍ଚ୍ଚକରି ଆଉ ଗୋଟିଏ ଭୂଇଁତଳିଆ ପାଣିଭଣ୍ଡାର ତିଆରିକଲେ । ଏହା ଗୋଟିଏ କୂଅ ପରି ନହୋଇ ଏକ ଛୋଟକାଟର ଜଳଭଣ୍ଡାର ପରି ହୋଇଥିଲା । କ୍ଷେତର ଗୋଟିଏ ମୁଣ୍ଡରୁ ଯେଉଁ ପାଣି ଗଡ଼ି ଚାଲିଯାଉଥିଲା ତାକୁ ଅଟକାଇ ସେହି ଭଣ୍ଡାରରେ ରଖାଯାଉଥିଲା । ସେଇ ପାଣିକୁ କେତୋଟି ପମ୍ପ ସାହାଯ୍ୟରେ ସେ କ୍ଷେତରେ ମଡ଼ାଉଥିଲେ । ଏଥିରୁ ଏତେ ଭଲ ଫଳ ମିଳୁଛି ଯେ, ମାଧବନ୍‌ କହନ୍ତି–ଏମିତି ଛୋଟ ଛୋଟ ଜଳଭଣ୍ଡାରମାନ ତିଆରି କଲେ, ଚାଷୀମାନେ ବହୁତ ସୁବିଧା ପାଇପାରିବେ । ମାଟିତଳ ପାଣିଧାର ଆଉ ବର୍ଷା ପାଣିକୁ ସଞ୍ଚୟକରି ଦରକାର ବେଳେ କ୍ଷେତରେ ମଡ଼ାଇବାପାଇଁ ଏହା ଭାରି ସୁବିଧାଜନକ ଉପାୟ ।

 

ମାଧବନ୍‌ ନାୟାର ଏବେ ଖାଲି କେରଳରେ କାହିଁକି ପାଖ ପଡ଼ିଶା ପ୍ରଦେଶମାନଙ୍କରେ ବି ଭାରି ଜଣାଶୁଣା । ତାଙ୍କର ସୁନାର ଧାନକ୍ଷେତ ଆଜି ଗୋଟିଏ ତୀର୍ଥସ୍ଥାନ ପରି ହୋଇଛି । କେରଳ ଗାଁ ଗଣ୍ଡାରୁ ଦଳ ଦଳ ହୋଇ ଚାଷୀମାନେ ଆସି ତାଙ୍କର କ୍ଷେତ ଦେଖନ୍ତି । ମାଧବନ୍‌ ବହୁ ସମୟଧରି ସେମାନଙ୍କୁ ବୁଝାଇ ସୁଝାଇ ଦିଅନ୍ତି । ସେମାନେ ବହୁକଥା ଶିକ୍ଷା କରିଯା’ନ୍ତି; ଆଉ ପ୍ରେରଣା ପା’ନ୍ତି । ସେମାନଙ୍କ ମନରେ କେତେ ନୂଆ ଭାବନା ଖେଳିଯାଏ । ସେମାନେ ବି ଏମିତି କରିବେ । ବିଦେଶରୁ ମଧ୍ୟ ଅନେକ ଚାଷ-ପଣ୍ଡିତ ଆସି ତାଙ୍କ କ୍ଷେତ ଦେଖି ଖୁସି ହୁଅନ୍ତି, ଅବାକ୍‌ ହୁଅନ୍ତି ।

 

ମାଧବନ୍‌ଙ୍କର ଏପରି ସଫଳତାର ମୂଳରେ ରହିଛି ତାଙ୍କର ଟାଣ ମନବଳ, କଠିନ ପରିଶ୍ରମ ଆଉ ଗଭୀର ଜାତିପ୍ରେମ । ଆଖିବୁଜା କ୍ଷେତରେ ଟଙ୍କା ଖର୍ଚ୍ଚକରି ସେ ଖୁବ୍‌ଭଲ ଫଳ ପାଉଛନ୍ତି । ଅବଶ୍ୟ ତାଙ୍କର ଅବସ୍ଥା ଭଲ । ଉନ୍ନତି ବିହନ ଆଉ ସାର ଆଣି ବ୍ୟବହାରକରି ଭଲ ଢଙ୍ଗରେ ଚାଷ କରିବାରେ ତାଙ୍କର ଭାରି ଝୁଙ୍କ ।

 

କିନ୍ତୁ ଛୋଟ ଚାଷୀମାନେ କିପରି ନିଜ ନିଜ କ୍ଷେତରେ ଏମିତି ସୁବିଧାମାନ କରିପାରିବେ ? ଏଇ ଚିନ୍ତା ସର୍ବଦା ମାଧବନ୍‌ଙ୍କୁ ଘାରିଥାଏ । ସେ ଜାଣିଛନ୍ତି ଯେ କେରଳରେ ୨୮ ଲକ୍ଷ ଚାଷୀଙ୍କ ମଧ୍ୟରୁ ୧୮ ଲକ୍ଷଙ୍କର ଏକ ଏକରରୁ କମ୍‌ ଜମି ଅଛି । ତେଣୁ ଅଧିକାଂଶ ଚାଷୀ ସମବାୟ ସମିତିରୁ ଋଣ ପାଇବାକୁ ସମର୍ଥ ହୋଇପାରନ୍ତିନାହିଁ । ଅଳ୍ପ କେତେଜଣ ଧନୀ ଚାଷୀ ତ ସାର ବିହନ ପାଣି ଆଦି ସବୁଥିରେ ଅଧିକ ଖର୍ଚ୍ଚକରି ଭଲ ଫସଲ ଫଳାଇ ପାରିବେ । ମାତ୍ର ଏତେ ସଂଖ୍ୟାରେ ଥିବା ଗରିବ ଚାଷୀମାନେ କିପରି ଭଲ ଫସଲ ପାଇବେ ? ଦେଶର ଖାଦ୍ୟ ସମସ୍ୟାରେ ସମାଧାନ କିପରି ହେବ ? ଖାଦ୍ୟ ଅଭାବ କିପରି ଦୂର ହେବ ? ଏଇ କଥା ଚିନ୍ତା କରି କରି ସେ ଥଳକୂଳ ପା’ନ୍ତି ନାହିଁ ।

 

ତେବେ ଛୋଟଠାରୁ ବଡ଼ଯାଏ ସବୁ ଚାଷୀ ଆଜି ଜମିରେ ଅଧିକ ଫସଲ ଫଳାଇବାକୁ ଚେଷ୍ଟା କରୁଛନ୍ତି, ସନ୍ଦେହ ନାହିଁ । ସାରଗଣ୍ଡେ ଦେଇ ହେଉକି ଭଲ ବିହନ ବୁଣି ହେଉ ଅଧିକ କିଛି ଫସଲ ପାଇବାକୁ ସେମାନେ ବ୍ୟସ୍ତ । କେରଳରେ ଏମିତିକି ନିଜ ସ୍ତ୍ରୀର ଅଳଙ୍କାର ବନ୍ଧା ପକାଇ ନିଜ କ୍ଷେତପାଇଁ ସାର ବିହନ କିଣନ୍ତି । ମାଧବନ୍‌ କହନ୍ତି ତାଙ୍କର ୧୮ ଏକର ଜମିରେ ସେ ପ୍ରାୟ ଏକଲକ୍ଷ ଟଙ୍କା ଖଟାଇଛନ୍ତି । ସମବାୟ ସମିତି ଜରିଆରେ ଚାଷୀମାନେ ମିଳିମିଶି ଏସବୁ କାମ ସୁବିଧାରେ କରିପାରିବେ । ଶସ୍ତା ଆଉ ସୁବିଧାରେ ସମିତି ଜରିଆରେ ବିହନ, ସାର ଟ୍ରାକ୍‌ଟର ଆଦି ଚାଷ ଉପକରଣ ସେମାନେ ପାଇପାରିବେ । ଛୋଟ ଛୋଟ କିଆରୀ ଖଣ୍ଡମାନଙ୍କୁ ଏକାଠିକରି ଆଜିର ଉନ୍ନତ ଧରଣର ଚାଷ ସୁବିଧାରେ କରିହେବ । ମନ ମିଳାଇଲେ ଧନ ନିଶ୍ଚୟ ମିଳିବ ।

 

ମାଧବନ୍‌କୁ ୪୫ । ୪୬ ବର୍ଷ ବୟସ । ଛଅଟି ପିଲାର ବାପା । ମନରେ ତାଙ୍କର କେତେ ଆଶା ଆଉ ଉତ୍ସାହ ଭରିରହିଛି, ସେ ଅଧିକରୁ ଅଧିକ ଫସଲ କରିବେ । ନିଜର ଭଲକରିବା ସଙ୍ଗେ ସଙ୍ଗେ ଦେଶର ମଙ୍ଗଳ କରିବେ । ତାଙ୍କର ୧୮ ଏକର କ୍ଷେତକୁ ବଢ଼ାଇ ଦେବାକୁ ମନସ୍ଥ କରିଛନ୍ତି-। ତାଙ୍କର କେତେକ ଜମିରେ କଦଳୀ ଆଉ କେତେକ ଜମିରେ ସପୁରୀ ବଗିଚା ହୋଇଛି-। ସେ ଦେଶରେ ଖାଦ୍ୟଶସ୍ୟର ଅଭାବ ଦୃଷ୍ଟିରୁ ସେସବୁ ଜମିରୁ କେତେକରେ ଧାନଫସଲ କରିବାକୁ ତାଙ୍କର ଇଚ୍ଛା । ସେ ଗର୍ବର ସହିତ କହନ୍ତି–‘‘ଆପଣ ଆସନ୍ତାବର୍ଷ ଏଠାକୁ ଆସନ୍ତୁ ଦେଖିବେ ଏ କ୍ଷେତ ଆହୁରି ବଡ଼ ହୋଇଯାଇଥିବ; ଆଉ ଏବେ ଯାହା ଫସଲ ହେଉଛି, ତା’ଠାରୁ କେତେଗୁଣ ଅଧିକ ନିଶ୍ଚୟ ଫଳିଥିବ ।’’

 

ସୂର୍ଯ୍ୟ ଅସ୍ତ ଯାଉଥିଲେ । କେଉଁଠି ଧାନ କ୍ଷେତରେ ଶାଗୁଆ ଶିରୀ ଉପରେ ସୁନେଲି ସୂର୍ଯ୍ୟ କିରଣ ବିଞ୍ଚି ହୋଇପଡ଼ିଥିଲା । ଆଉ କେଉଁଠି ପାଚିଲା ଧାନ କିଆରୀର ରଙ୍ଗ ଏଇ କିରଣଠାରୁ ଆହୁରୀ ସୁନେଲି, ଆହୁରି ଲୋଭନୀୟ ଆଉ ସୁନ୍ଦର ଦିଶୁଥିଲା । ମାଧବନ୍‌ଙ୍କ ମୁହଁ ହସ ହସ ଆଉ ଉଜ୍ଜ୍ୱଳ ଦିଶୁଥିଲା ।

Image